ବ୍ୟାଙ୍କକୁ ଚେତାବନୀ: ଠକେଇ ଚିହ୍ନଟ କର, ନଚେତ୍‌ ଭୋଗିବ

ନୂଆଦିଲ୍ଲୀ: ପଚାଶ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସବୁ ଏନ୍‌ପିଏ ଖାତା ଯାଞ୍ଚ କର। କେଉଁ ଖାତାରେ ଜାଲିଆତି ହୋଇଛି ତାହାକୁ ଚିହ୍ନଟ କର ଓ ଜଣାଅ। ଯଦି ଏହି କାମ ଠିକ୍‌ ଭାବେ କରୁନାହଁ ତେବେ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପ୍ରସ୍ତୁତ ରୁହ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ବ୍ୟାଙ୍କଗୁଡ଼ିକର ସିଇଓଙ୍କୁ ଏଭଳି ଚେତାବନୀ ପ୍ରଦାନ କରାଯାଇଛି। ନିକଟରେ ସିରିଅସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ) ଦ୍ୱାରା ଭୂଷଣ ଷ୍ଟିଲ୍‌ର ସଂସ୍ଥାପକ ନୀରଜ ସିଂଘଲଙ୍କୁ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ଘଟଣା ବିଚାରକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ ସିଇଓମାନଙ୍କୁ କଡ଼ା ଚେତାବନୀ ଦିଆଯାଇଥିବା କୁହାଯାଉଛି। ପଚାଶ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସବୁ ଏନ୍‌ପିଏ ଖାତାକୁ ଯାଞ୍ଚ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ କୁହାଯାଉଛି। ଋଣ ଜାଲିଆତି ଚିହ୍ନଟ କରିବାରେ ବିଫଳ ହେଲେ ସିିଇଓଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ଦାୟର କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆଇପିସିର ଧାରା ୧୨୦ (ଖ) ଅନୁଯାୟୀ ଯଦି ଋଣ ଜାଲିଆତି ବିଷୟରେ ବ୍ୟାଙ୍କ ସୂଚନା ଦେଇନଥିବ ଓ ଭବିଷ୍ୟତରେ ସେହି ଠକେଇକୁ ତଦନ୍ତ ଏଜେନ୍ସି ପର୍ଦାଫାଶ କରିବେ ତେବେ ବ୍ୟାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ଦାୟର କରାଯାଇପାରିବ। ବ୍ୟାଙ୍କରୁ ଋଣ ନେଇ ତାହାକୁ ଅନ୍ୟତ୍ର ବ୍ୟବହାର କରି ଓ ହଡ଼ପ କରିବା ଭଳି ଅନେକ ମାମଲା ନିକଟ ଅତୀତରେ ପର୍ଦାଫାଶ ହୋଇଛି। ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଦ୍ୱାରା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ କରାଯାଇଥିବା ୧୪ ହଜାର କୋଟି ଟଙ୍କାର ଠକେଇ ପରେ ସରକାର ଅଧିକ ସଜାଗ ହୋଇପଡ଼ିଛନ୍ତି। ହଜାର ହଜାର କୋଟି ଟଙ୍କାର ଋଣ ନେଇ ତାହାକୁ ପରିଶୋଧ କରୁନଥିବା ୧୨ଟି ବଡ଼ ସଂସ୍ଥା ଠାରୁ ଋଣ ଅର୍ଥ ଆଦାୟ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦେଶ ଜାରି କରାଯାଇଥିଲା। ସେହି ସବୁ କଂପାନି ବିରୋଧରେ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ମାମଲା ଚାଲିଛି। ଉଲ୍ଲେଖଯୋଗ୍ୟ, ଦେଶରେ ବ୍ୟାଙ୍କ ଏନ୍‌ପିଏ ପରିମାଣ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର