କାର୍‌ଠାରୁ ଘଣ୍ଟା ଦାମ୍‌ ଅଧିକ

ହାତ ଘଣ୍ଟାର ଦାମ୍ ବି କାର ଠାରୁ ଅଧିକ ହୋଇପାରେ ଏହା ସାଧାରଣ ଲୋକଙ୍କ ଚିନ୍ତାର ବାହାରେ। ତେବେ ସବୁ ହାତ ଘଣ୍ଟାର ଦାମ୍ କାରଠାରୁ ଅଧିକ ହୋଇ ନଥାଏ। କେ‌ବଳ କେତୋଟି ଅନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ବ୍ରାଣ୍ଡ୍‌ର ଘଣ୍ଟା ଦାମ୍‌ ହିଁ ଅଧିକ ରହିଥାଏ। ସୁନ୍ଦର ଡିଜାଇନଠାରୁ ଆରମ୍ଭ କରି ଉନ୍ନତମାନର ଇଞ୍ଜିନିୟରିଂ କୌଶଳ ପାଇଁ ଏହି ଘଣ୍ଟା ଦର ଅଧିକ ରହିଥାଏ। ଘଣ୍ଟା ନିର୍ମାଣ ପାଇଁ ଏସବୁ କମ୍ପାନି ଅଭିଜ୍ଞ ବ୍ୟକ୍ତିମାନଙ୍କୁ ହିଁ ନିଯୁକ୍ତି ଦେଇଥାନ୍ତି। ଅଭିଜ୍ଞ କାରିଗରମାନେ ଅତ୍ୟନ୍ତ ଧ୍ୟାନର ସହିତ ଘଣ୍ଟା ହାତରେ ନିର୍ମାଣ କରିଥାନ୍ତି। ସେହିଭଳି ଘଣ୍ଟା ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶଗୁଡ଼ିକ ମଧ୍ୟ ଉଚ୍ଚମାନର ହୋଇଥାଏ। ଏଥିପାଇଁ କମ୍ପାନି ଗୁଡ଼ିକୁ ଅନେକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ପଡ଼ିଥାଏ। ଏହି କେନ୍ଦ୍ର ଗୁଡ଼ିକ କେବଳ ଘଣ୍ଟା ନିର୍ମାଣ ଶୈଳୀରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରି ନଥାନ୍ତି ନୂଆ ନିର୍ମାଣ ପ୍ରଯୁକ୍ତିର ବିକାଶ ଦିଗରେ ମଧ୍ୟ କାର୍ଯ୍ୟ କରିଥାନ୍ତି। ଇଲେକ୍ଟୋନିକ୍ସ ତୁଳନାରେ ମେକାନିକାଲ ଘଣ୍ଟା ନିର୍ମାଣ ସାଧାରଣତଃ ଅଧିକ ବ୍ୟୟସାପେକ୍ଷ ହୋଇଥାଏ।

ସ୍ପ୍ରିଙ୍ଗଠାରୁ ଆରମ୍ଭ କରି ବାଲାନ୍ସ ହ୍ବିଲ, ଏସକେପମେଣ୍ଟ ଆଦି ଏହି ଘଣ୍ଟା ନିର୍ମାଣରେ ବ୍ୟବହୃତ ହୋଇଥାଏ। ଉଦାହରଣ ସ୍ବରୂପ କେତେକ କମ୍ପାନି ୩୧୬ଏଲ ମାନର ଇସ୍ପାତ ବ୍ୟବହାର କରୁଥିବାବେଳେ ଦାମୀ ଘଣ୍ଟା ନିର୍ମାତା ରୋଲେକ୍ସ ୯୦୪ଏଲ ମାନର ଇସ୍ପାତ ବ୍ୟବହାର କରିଥାଏ। ସେହିଭଳି ଏହି କମ୍ପାନି ‌ମୋଲିବେଡନମ୍, କ୍ରୋମିୟମ, ତମ୍ବା ଏବଂ ସୀସାର ବ୍ୟବହାର କରିଥାଏ। ଏସବୁ ଧାତୁ ଘଣ୍ଟାକୁ ଅମ୍ଳ ପ୍ରଭାବରୁ ସୁରକ୍ଷା ଦେଇଥାଏ। ସାଧାରଣତଃ ମେସିନ ପରିବର୍ତେ ହାତରେ ଏହି ଘଣ୍ଟା ନିର୍ମାଣ କରାଯାଇଥାଏ। ଛୋଟ ଛୋଟ ଯନ୍ତ୍ରାଂଶକୁ ଯୋଡ଼ି ଏହି ଘଣ୍ଟା ନିର୍ମାଣ କରାଯାଉଥିବାରୁ ଠିକ୍ ସମୟ ମେସିନ ପ୍ରସ୍ତୁତ କରିବା ଜଟିଳ କାର୍ଯ୍ୟ ହୋଇଥାଏ। ଫଳରେ କୁଶଳୀ କାରିଗରମାନେ ହିଁ ଏହି କାର୍ଯ୍ୟ କରିପାରିଥାନ୍ତି। ଏତଦବ୍ୟତୀତ ସ୍ବିଜରଲାଣ୍ଡରେ କର୍ମଚାରୀଙ୍କ ପାରିଶ୍ରମିକ ବହୁ ଅଧିକ ହୋଇଥିବାରୁ ଏହି ଘଣ୍ଟା ନିର୍ମାଣ ଖର୍ଚ ବଢ଼ି ଯାଇଥାଏ। ଘଣ୍ଟାର ଡାଏଲ ଧଳା ସୁନାରେ ଏବଂ ବେଜେଲ ସେରାମିକରେ ତିଆରି ହୋଇଥାଏ। ସେହିଭଳି ଡାଏଲରେ ଲେଖାଯାଉଥିବା ନମ୍ବର ଗୁଡ଼ିକ ସ୍ୟାଣ୍ଡବ୍ଲାଷ୍ଟେଡ ପ୍ଲାଟିନମରେ ନିର୍ମାଣ ହୋଇଥାଏ। ଏତଦବ୍ୟତୀତ ମେକାନିକାଲ ଘଣ୍ଟା ନିର୍ମାଣ କରୁଥିବା କମ୍ପାନି ଗୁଡ଼ିକ ବର୍ଷକୁ ପ୍ରାୟ ୮ ଲକ୍ଷରୁ ୧୦ ଲକ୍ଷ ଘଣ୍ଟା ନିର୍ମାଣ କରିଥାନ୍ତି।

ବିଶ୍ବର ଦାମୀ ଘଣ୍ଟା
ନାମ ଡଲାର
ଜେରାଲ୍ଡ ଗେଣ୍ଟା ୬୨୦,୦୦୦
ମାଇ‌େଟ୍ରସ୍‌ ଡୁ ଟେମ୍ପସ୍‌ ୫୪୦,୦୦୦
କ୍ରିଷ୍ଟୋଫ୍‌ କ୍ଲାରେଟ୍‌ ୫୯୫,୦୦୦
ଫ୍ରାଙ୍କ୍‌ ମୁଲର୍‌ ୨୪,୦୦,୦୦୦
ପାଟେକ୍ ଫିଲିପ୍ ୩୯,୮୫,୦୦୦
ଅଡିମାରସ୍‌ ପିଗେଟ୍‌ ୭୪୧,୬୦୦
ଜିନ୍ ଡୁନାଣ୍ଡ୍‌ ୫୦୦,୦୦୦
ହୁବଲ୍ଟ ୫୦,୦୦,୦୦୦

ସମ୍ବନ୍ଧିତ ଖବର