ଥଣ୍ଡା ପାନୀୟ ବୋତଲ ଫେରାଇଲେ ମିଳିବ କେଜି ପିଛା ୧୫ ଟଙ୍କା

ନୂଆଦିଲ୍ଲୀ: କୋକାକୋଲା ଓ ପେପ୍ସି ଭଳି ଥଣ୍ଡା ପାନୀୟ କଂପାନି ଗ୍ରାହକଙ୍କଠାରୁ ପ୍ଲାଷ୍ଟିକ୍‌ ବୋତଲ କିଣିବେ। ଗ୍ରାହକମାନେ ବୋତଲଗୁଡ଼ିକୁ ଫେରାଇଲେ କେଜି ପିଛା ୫ ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ପ୍ଲାଷ୍ଟିକ୍‌ ସମସ୍ୟାକୁ ଦୂର କରିବା ପାଇଁ ଥଣ୍ଡା ପାନୀୟ କଂପାନିଗୁଡ଼ିକ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବୋତଲଗୁଡ଼ିକରେ ଯେତିକି ଟଙ୍କା ଲେଖାଥିବ ତାହାକୁ ଫେରାଇଲେ ଗ୍ରାହକମାନେ ସେତିକି ଟଙ୍କା ପାଇବେ। ମହାରାଷ୍ଟ୍ରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସେଠାରେ ବିକ୍ରି ହେଉଥିବା ଥଣ୍ଡା ପାନୀୟ ବୋତଲଗୁଡ଼ିକରେ ବାଏବ୍ୟାକ୍‌ ମୂଲ୍ୟ ଲେଖାଯାଉଛି। ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍‌କୁ ନିଷିଦ୍ଧ କରାଯିବା ପରେ କଂପାନିଗୁଡ଼ିକ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବୋତଲଗୁଡ଼ିକର ବାଏବ୍ୟାକ୍‌ ମୂଲ୍ୟ ନିର୍ଧାରଣ କରିବା ପାଇଁ କଂପାନିଗୁଡ଼ିକୁ ସରକାର ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ ଅଧିକାଂଶ କଂପାନି ବୋତଲଗୁଡ଼ିକର ବାଏବ୍ୟାକ୍‌ ମୂଲ୍ୟ କେଜି ପିଛା ୧୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ପେପ୍‌ସିର ପ୍ରବକ୍ତା କହିଛନ୍ତି ଯେ, ମହାରାଷ୍ଟ୍ରରେ ବିକ୍ରି କରାଯାଉଥିବା ଥଣ୍ଡା ପାନୀୟ ବୋତଲରେ କେଜି ପିଛା ୧୫ ଟଙ୍କାର ବାଏବ୍ୟାକ୍‌ ମୂଲ୍ୟ ଲେଖାଯାଉଛି। ସେ କହିଛନ୍ତି ଯେ ଆମେ ‘ଜେମ୍‌ ଏନ୍‌ଭିରୋ’ ନାମକ ଏକ ସଂସ୍ଥା ସହିତ ବୁଝାମଣା କରିଛୁ। ଏହି କଂପାନି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରିଭର୍ସ ଭେଣ୍ଡିଂ ମେସିନ୍‌ ବସାଇବ, ସଂଗ୍ରହ କେନ୍ଦ୍ର ସ୍ଥାପନ କରିବ ଓ ବୋତଲଗୁଡ଼ିକୁ ସଂଗ୍ରହ କରିବ। ବର୍ତ୍ତମାନ ପରିସ୍ଥିତିରେ ବାଏବ୍ୟାକ୍‌ କାର୍ଯ୍ୟକ୍ରମକୁ ମହାରାଷ୍ଟ୍ରରେ ସୀମିତ ରଖାଯାଇଛି। କଂପାନିଗୁଡ଼ିକ ଏହାକୁ ନେଇ ଅସୁବିଧା ମଧ୍ୟ ସାମ୍ନା କରୁଛନ୍ତି। ଏକ ଥଣ୍ଡା ପାନୀୟ କଂପାନିର ପ୍ରବକ୍ତା କହିଛନ୍ତି ଯେ, ଯେଉଁ ସବୁ ବୋତଲରେ ବାଏବ୍ୟାକ୍‌ ମୂଲ୍ୟ ଲେଖାଯାଉଛି ତାହାକୁ ଆମେ ଅନ୍ୟ ରାଜ୍ୟରେ ବିକ୍ରି କରିପାରିବୁ ନାହିଁ।

ସମ୍ବନ୍ଧିତ ଖବର