ନ୍ୟାୟ ପାଇଁ ମଧ୍ୟବିତ୍ତଙ୍କ ସହ ଅନ୍ୟାୟ କରିବୁନି: ରାହୁଲ

ରଭଡ଼ା ଠାରୁ ଗୃହ ଋଣ କିସ୍ତି ଶସ୍ତା କରିବୁ: ଜେଟ୍‌ଲି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ବର୍ଗର ଭୋଟରଙ୍କୁ ଖୁସି କରିବାକୁ ରାଜନୈତିକ ଦଳଗୁଡ଼ିକ ସେତିକି ଲୋଭନୀୟ ଘୋଷଣା ସବୁ କରୁଛନ୍ତି। ଆଜି ମଧ୍ୟବିତ୍ତ ବର୍ଗକୁ ଖୁସି କରିବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ପ୍ରୟାସ କରିଛନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ନ୍ୟୂନତମ ଆୟ ଯୋଜନା (ନ୍ୟାୟ) ପାଇଁ ପାଣ୍ଠି ଯୋଗାଡ଼ କରିବା ନିମନ୍ତେ ଆୟକରରେ କୌଣସି ପ୍ରକାର ବୃଦ୍ଧି କରିବୁ ନାହିଁ। ଆୟକର ହାର ବଢ଼ାଇ ମଧ୍ୟବିତ୍ତଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିବୁ ନାହିଁ। ପୁନେ ଠାରେ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିୟମ କରିବା ବେଳେ ନ୍ୟାୟ ପାଇଁ କେଉଁଠୁ ପାଣ୍ଠି ଆସିବ ବୋଲି ଜଣେ ବିଦ୍ୟାର୍ଥୀ କଂଗ୍ରେସ ମୁଖ୍ୟ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାହୁଲ କହିଛନ୍ତି ଯେ, ମଧ୍ୟବିତ୍ତଙ୍କଠାରୁ ଟଙ୍କା ଆଣିବୁ ନାହିଁ। ଆୟକର ମଧ୍ୟ ବଢ଼ାଇବୁ ନାହିଁ। ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ବେଳେ ଚାଷୀ, ଗରିବଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ମତାମତ ନିଆଯାଇଥିଲା ବୋଲି ସେ କହିଛନ୍ତି।

ସେହିପରି, ମଧ୍ୟବିତ୍ତ ବର୍ଗର ଭୋଟରଙ୍କୁ ଖୁସି କରିବାକୁ ବିଜେପିର ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ମଧ୍ୟ ଲୋଭନୀୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଆମେ ନିର୍ବାଚନରେ ବିଜୟୀ ହେବୁ ତେବେ ଗୃହ ଋଣ କିସ୍ତିକୁ ଘର ଭଡ଼ା ଠାରୁ କମ୍ କରିବୁ। ସେ କହିଲେ ବିଗତ ପାଞ୍ଚ ବର୍ଷ ଭିତରେ ମୋଦୀ ସରକାର ଟିକସ ବଢ଼ାଇନାହାନ୍ତି। ତଥାପି ଟିକସଦାତାଙ୍କ ସଂଖ୍ୟା ଏବଂ ଟିକସ ଆଦାୟ ପରିମାଣ ବଢ଼ିଛି। ଆଉ ଥରେ ନିର୍ବାଚନ ଜିତିଲେ ଆମେ ଏଭଳି ନୀତି ଆଣିବୁ ଯାହା ଦ୍ବାରା ଋଣ ସୁଧ କମିବ ବୋଲି ସେ କହିଛନ୍ତି। ମଧ୍ୟବିତ୍ତଙ୍କୁ ସୁଦୃଢ଼ କରିବାକୁ ସରକାର ଅନେକ କାମ କରୁଛନ୍ତି। ଟିକସ ବ୍ୟବସ୍ଥାର ସରଳୀକରଣ କରି ମଧ୍ୟବିତ୍ତଙ୍କ ଖର୍ଚ କରିବାର କ୍ଷମତାକୁ ବଢ଼ାଇବାକୁ ମଧ୍ୟ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ମଧ୍ୟବିତ୍ତଙ୍କୁ ସେ ଭାରତୀୟ ଅର୍ଥନୀତିର ଭବିଷ୍ୟତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର