ଫ୍ଲିପ୍‌କାର୍ଟର ନୂଆ ମାଲିକ ହେବ ଓ୍ଵାଲ୍‌ମାର୍ଟ

ନୂଆଦିଲ୍ଲୀ: ଭାରତର ଇ-କମର୍ସ ବଜାରରେ ବଡ଼ ଧରଣର ଅଧିଗ୍ରହଣ ଚୁକ୍ତି ହୋଇଛି। ଆମେରିକୀୟ ରିଟେଲ୍‌ ସଂସ୍ଥା ଓ୍ଵାଲ୍‌ମାର୍ଟ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଭାରତୀୟ ଇ-କମର୍ସ କଂପାନି ଫ୍ଲିପ୍‌କାର୍ଟର ୭୫% ଅଂଶଧନକୁ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାରେ କିଣିବ। ଏହି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଫ୍ଲିପ୍‌କାର୍ଟର ନୂଆ ମାଲିକ ହେବ ଓ୍ଵାଲ୍‌ମାର୍ଟ। ଭାରତୀୟ ବଜାରର ଏକ ବଡ଼ ଭାଗ ହାସଲ କରିବା ପାଇଁ ଓ୍ଵାଲମାର୍ଟ ବହୁ ବର୍ଷ ହେଲାଣି ଉଦ୍ୟମ କରୁଥିଲା। ଯେହେତୁ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନିୟମ ଅନୁକୂଳ ନଥିଲା ତେଣୁ ଓ୍ଵାଲ୍‌ମାର୍ଟ ଆଗକୁ ବଢ଼ିପାରୁନଥିଲା। ଫ୍ଲିପ୍‌କାର୍ଟକୁ କିଣିବା ପରେ ଓ୍ଵାଲ୍‌ମାର୍ଟର ଭାରତ ବଜାର ହାସଲ କରିବା ସ୍ୱପ୍ନ ପୂରଣ ହେବ। ଫ୍ଲିପ୍‌କାର୍ଟକୁ କିଣିବା ପାଇଁ ଓ୍ଵାଲ୍‌ମାର୍ଟକୁ ଅନେକ କଷ୍ଟ କରିବାକୁ ପଡ଼ିଛି। ଦୁଇ ସଂସ୍ଥା ମଧ୍ୟରେ ଅଧିଗ୍ରହଣ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଥିବା ବେଳେ ହଠାତ୍‌ ଆମାଜନ୍‌ ପକ୍ଷରୁ ଫ୍ଲିପ୍‌କାର୍ଟକୁ କିଣିବାକୁ ଆଗ୍ରହ ପ୍ରକାଶ କରାଗଲା। ଆମାଜନ୍‌ ମଧ୍ୟ ନିଜର ବିଡ୍‌ ଦାଖଲ କରିଥିଲା ବୋଲି କୁହାଯାଉଛି। କିନ୍ତୁ ଆମାଜନ୍‌ ବିଡ୍‌କୁ ଫ୍ଲିପ୍‌କାର୍ଟର ନିବେଶକମାନେ ଗ୍ରହଣ କରିନାହାନ୍ତି। ସେମାନେ ଓ୍ଵାଲ୍‌ମାର୍ଟର ବିଡ୍‌କୁ ଅଧିକ ପସନ୍ଦ କରିଛନ୍ତି। ଏହି ଅଧିଗ୍ରହଣ ପ୍ରକ୍ରିୟାରେ ଗୁଗୁଲ୍‌ ମଧ୍ୟ କିଛି ପାଣ୍ଠି ନିବେଶ କରିବ ବୋଲି ଚର୍ଚା ହେଉଛି। ଭାରତରେ ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ହେଉଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ। ଫ୍ଲିପ୍‌କାର୍ଟକୁ କିଣିବାରେ ସଫଳ ହୋଇଥିଲେ ଆମାଜନ୍‌ ଭାରତର ଇ-କମର୍ସ ବଜାରରେ ଏକଚାଟିଆ କାରବାର କରିଥାନ୍ତା।

ସମ୍ବନ୍ଧିତ ଖବର