୨୦୬୦ରେ କ’ଣ ହେବ? ଅଧା ଦୁନିଆ ଭାରତ-ଚୀନ୍‌ କବ୍‌ଜାରେ ରହିବ

ଏସିଆ ହେବ ବିଶ୍ୱର ଶକ୍ତି କେନ୍ଦ୍ର, ୫୦% ଉତ୍ପାଦନ ଚୀନ୍‌-ଭାରତରେ ହେବ

ନୂଆଦିଲ୍ଲୀ: ସାରା ଦୁନିଆର ବିକାଶ ଗତି କମ୍‌ ହେଉଥିବା ବେଳେ ଏସିଆରେ ବଢ଼ୁଛି। ବର୍ତ୍ତମାନ ଦୁନିଆରେ ଯେଉଁ ନୀତି ଓ ବ୍ୟବସ୍ଥା ପ୍ରଚଳିତ ରହିଛି ଯଦି ତାହା ବଜାୟ ରହିବ ତେବେ ଆଗାମୀ ୪୦ ବର୍ଷ ଭିତରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏସିଆର ଦୁଇ ମହାଶକ୍ତି ଚୀନ୍‌ ଓ ଭାରତ କବ୍‌ଜାରେ ବିଶ୍ୱ ଅର୍ଥନୀତିର ଅଧା ଭାଗ ରହିବ। ଦୁନିଆର ଅଧା ଉତ୍ପାଦନ ଏହି ଦୁଇ ଦେଶରେ ହେବ। ଏଭଳି ଆକଳନ କରିଛି ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)। ଓଇସିଡି ଏହାର ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ପ୍ରଦାନ କରିଛି। ଏଥିରେ କୁହାଯାଇଛି ଯେ, ଏସିଆ ହେବ ବିଶ୍ୱର ଆର୍ଥିକ ଶକ୍ତି କେନ୍ଦ୍ର। ରିପୋର୍ଟରେ ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ରୋବଟ୍‌ ସହାୟକ ଓ ଉଡ଼ନ୍ତା ଟ୍ରେନ୍‌ ଯୋଗୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଏଥିରେ କୁହାଯାଇଛି। ଉଦୀୟମାନ ଦେଶଗୁଡ଼ିକରେ ପ୍ରଶାସନିକ ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଯୋଗୁଁ ପୁଞ୍ଜିନିବେଶ ପରିମାଣ ବଢ଼ିବ। ବ୍ରାଜିଲ, ରୁଷିଆ, ଭାରତ, ଇଣ୍ଡୋନେସିଆ, ଚୀନ୍‌ ଓ ଦକ୍ଷିଣ ଆଫ୍ରିକାରେ ଲୋକମାନଙ୍କ ଜୀବନ ଧାରଣ ମାନରେ ୫୦% ଭଳି ଉନ୍ନତି ହେବ। ଭବିଷ୍ୟତରେ ପରିବାର ପାଇଁ ଅଧିକ ସୁବିଧା ସୁଯୋଗ ମିଳିବ। ଟିକସ ପରିମାଣ କମ୍‌ ହେବ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ଲୋକମାନଙ୍କୁ ସୁବିଧାରେ କାମ ମିଳିବ। ଫଳରେ ବେକାରୀ ସମସ୍ୟା ଅନେକାଂଶରେ ଦୂର ହୋଇଯିବ। ଲୋକମାନେ ଅଧିକ ବର୍ଷ ବଞ୍ଚିବେ। ଫଳରେ ଆଇନଗତ ଅବସର ବୟସ ସୀମା ବୃଦ୍ଧି ପାଇବ। ଗବେଷଣା ଓ ବିକାଶ କାର୍ଯ୍ୟରେ ଅଧିକ ପୁଞ୍ଜିନିବେଶ ହେବ। ଶ୍ରମିକମାନଙ୍କ ଦକ୍ଷତା ବଢ଼ିବ। ଉନ୍ନତ ସରକାରୀ ଭିତ୍ତିଭୂମିର ଉପଲବ୍ଧତା ବଢ଼ିବ। ଫଳରେ ଲୋକମାନଙ୍କ ଜୀବନ ଧାରଣ ମାନରେ ଆଶନୁରୂପ ଉନ୍ନତି ହୋଇପାରିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର