ଜିଏସ୍‌ଟି ଲାଗିଲେ ୫୦ ଟଙ୍କା ତଳକୁ ଖସିବ!

ପେଟ୍ରୋଲ୍‌, ଡିଜେଲ୍‌କୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରକୁ ଅଣାଗଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଉତ୍ପାଦନ ଶୁଳ୍କ ଏବଂ ଭାଟ୍‌ ସଂପୂର୍ଣ୍ଣ ରୂପେ ଉଚ୍ଛେଦ ହେବ। ପେଟ୍ରୋଲ୍‌ ଏବଂ ଡିଜେଲର ମୂଳ ମୂଲ୍ୟ ଉପରେ ସର୍ବାଧିକ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରାଗଲେ ବି ଏହାର ଦର ୫୦ ଟଙ୍କା ତଳେ ରହିବ ବୋଲି ଆକଳନ କରାଯାଉଛି। ଅବଶ୍ୟ ଚଳିତ ବର୍ଷ ଏପ୍ରିଲ ପହିଲାରେ ପେଟ୍ରୋଲ ଏବଂ ଡିଜେଲର ମୂଳ ମୂଲ୍ୟକୁ ନେଇ ଆକଳନ କରାଯାଇଛି। ଏପ୍ରିଲ ୨ ତାରିଖରେ ପେଟ୍ରୋଲର ମୂଳ ମୂଲ୍ୟ ଲିଟର ପିଛା ୩୫ ଟଙ୍କା ୫୯ ପଇସା ଥିଲା। ଏହା ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୯ ଟଙ୍କା ୯୬ ପଇସା ପାଇବେ। ଫଳରେ ପେଟ୍ରୋଲ ଦର ଲିଟର ପିଛା ୪୫ ଟଙ୍କା ୫୫ ପଇସାକୁ ଖସିଆସିବ। ସେହିପରି ଡିଜେଲ୍‌ ଲିଟର ପିଛା ଟ ୪୮.୬୪ ପଇସାକୁ କମିଯିବ ବୋଲି ଏକ ଆକଳନରୁ ଜଣାପଡ଼ିଛି।
୨୦୧୭ ଜୁନ୍‌ ୧୬ରୁ ଦୈନିକ ବଦଳୁଛି ଦର
୨୦୧୦ ମସିହାରେ ସରକାର ପେଟ୍ରୋଲର ଏବଂ ୨୦୧୪ରେ ଡିଜେଲର ମୂଲ୍ୟ ନିର୍ଧାରଣକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିଥିଲେ। ଏହାପରେ ତେଲ କମ୍ପାନି ଗୁଡ଼ିକ ପ୍ରତିମାସରେ ଦୁଇ ଥର ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ କରି ଆସୁଥିଲେ। ତେଲ କମ୍ପାନିଗୁଡ଼ିକ ଗତବର୍ଷ ଜୁନ୍‌ ୧୬ ତାରିଖରୁ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ କରି ଆସୁଛନ୍ତି। ଫଳରେ ପ୍ରତିଦିନ ସକାଳେ ନୂଆ ଦର ଦେଇ ଗ୍ରାହକ ପେଟ୍ରୋଲ ଏବଂ ଡିଜେଲ କିଣୁଛନ୍ତି।
୨.୫%କୁ ବଢ଼ିବ ଚଳନ୍ତି ଖାତା ନିଅଣ୍ଟ
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ହେଲେ ଏହା ଦେଶର ଚଳନ୍ତି ଖାତା ନିଅଣ୍ଟ (ବିଦେଶୀ ମୁଦ୍ରାର ଆଗମନ ଓ ବହିର୍ଗମନ ମଧ୍ୟରେ ପାର୍ଥକ୍ୟ)କୁ ବଢ଼ାଇବ। ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ଚଳନ୍ତି ଖାତା ନିଅଣ୍ଟ ରାଶି ଜିଡିପିର ୧.୯%ରେ ରହିବ ବୋଲି ଆକଳନ କରାଯାଇଛି। କିନ୍ତୁ ତେଲ ଦର ବୃଦ୍ଧି ଯୋଗୁଁ ଏହା ୨.୫%କୁ ବୃଦ୍ଧି ପାଇପାରେ ବୋଲି ଏସ୍‌ବିଆଇ ଇକୋରାପ୍‌ ରିପୋର୍ଟରେ କହିଛି।

ସମ୍ବନ୍ଧିତ ଖବର