ଗତକାଲି ପତଞ୍ଜଳି ଲଞ୍ଚ କରିଥିବା ନୂତନ ମେସେଜିଂ ଆପ୍‌ ‘କିମ୍ଭୋ’କୁ ଗୁଗୁଲ ପ୍ଲେ ଷ୍ଟୋରରୁ କାହିଁକି ହଟାଇ ଦିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ: ଅାୟୁର୍ବେଦ ଠାରୁ ଅାରମ୍ଭ କରି ସାବୁନ୍‌, ତେଲ, ବିସ୍କୁଟ୍ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ  ପ୍ରସ୍ତୁତି  କ୍ଷେତ୍ରରେ ସଫଳତାର ହାସଲ କରିବା ପରେ ଯୋଗଗୁରୁ ବାବା ରାମଦେବ ଟେଲିକମ୍‌ ଓ ସୋସିଆଲ ମିଡିଆ ସେକ୍ଟରରେ ଧମାଲ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବାବା ରାମଦେବ କମ୍ପାନି ପତଞ୍ଜଳି ମୋବାଇଲ୍‌ ସେବା କ୍ଷେତ୍ରରେ ପ୍ରବେଶ କରି ସିମ୍‌ କାର୍ଡ ଲଞ୍ଚ କରିବା କଥା ଆପଣମାନେ ଶୁଣିଥିଲେ।

ତେବେ ବୁଧବାର ପତଞ୍ଜଳି କମ୍ୟୁନିକେସନ୍‌ ମେସେଜିଂ ଆପ୍‌ ‘କିମ୍ଭୋ’ ଲଞ୍ଚ କରିଥିଲା ବୋଲି ଖବର ପ୍ରକାଶ ପାଇଥିଲା। ଗୋଟିଏ ଦିନ ଭିତରେ ଏହି ଆପ୍‌କୁ ୫୦ହଜାର ଥର ଡାଉନ୍‌ଲୋଡ କରାଯାଇଥିବା ସୂଚନା ମିଳିଛି। ଏବେ ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଯେଉଁ ବ୍ୟବହାରକାରୀ ଥରେ ଏହି ପତଞ୍ଜଳିର କିମ୍ଭୋ ଆପ୍‌କୁ ଡାଉନ୍‌ଲୋଡ କରିଥିଲେ ସେମାନଙ୍କ ଫୋନ୍‌ର ପ୍ଲେ ଷ୍ଟୋରରେ ଏବେ ବି ଏହି ଆପ୍‌ ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ, ଏହି ଆପ୍‌କୁ ଡାଉନ୍‌ଲୋଡ କରିବା ପରେ ଯେଉଁମାନେ ଅନ୍‌ଇନ୍‌ଷ୍ଟଲ କରି ଦେଇଛନ୍ତି ସେମାନଙ୍କ ଫୋନ୍‌ରେ ବି ଏହି ଆପ୍‌ ସୂଚିତ ହେଉଛି। ତେବେ ଏହି ଆପ୍‌ ଡାଉନ୍‌ଲୋଡ କରିବା ପରେ ଫୋନ୍‌ ହ୍ୟାଙ୍ଗ ହେବାର ସମସ୍ୟା ହେଉଥିବା ଜଣାପଡ଼ିଛି। ଏବେ ଏହା ବିଟା ଭର୍ସନ୍‌ରେ ରହିଛି, ଯାହାକି ଠିକ୍‌ ଭାବେ କାମ କରୁନାହିଁ। ତେଣୁ ଏହାକୁ ଗୁଗୁଲ ପ୍ଲେ ଷ୍ଟୋଟରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି।

ଏବେ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ୍ଚ କରିବା ପରେ କିମ୍ଭୋ  ଆପ୍‌ ଦେଖା ଯାଉନାହିଁ। କିମ୍ଭୋ ନାମରେ ଅନ୍ୟ ଏକ ଆପ୍‌ ଟପ୍‌ରେ ରହଛି। ଯାହାକି ପତଞ୍ଜଳିର ନୁହେଁ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଏହି କିମ୍ବୋ ଆପ୍‌ ଅନ୍ୟ ମେସେଜିଂ ଆପ୍‌କୁ ଯେମିତିକି ଇମୋ ଓ ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବ ବୋଲି କମ୍ପାନି ଦାବି କରିଥିଲା। ଏହି ଆପ୍‌କୁ ନେଇ ବାବା ରାମଦେବ କୌଣସି ପ୍ରତିକ୍ରିୟା ଏଯାବତ୍‌ ରଖି ନାହାନ୍ତି।

‘କିମ୍ଭୋ’ ଆପ୍‌କୁ ଗୁୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍‌ଲୋଡ କରିହେବ ବୋଲି କୁହାଯାଇଥିଲା। ଏହି ଆପ୍‌କୁ ମଇ ୩୦ ତାରିଖରେ ଅପଡେଟ କରାଯାଇଥିଲା। ଏହାର ଫିଚର ହ୍ଵାଟସ୍‌ଆପ୍‌ ଭଳି ଭିଡିଓ କଲିଂ ବ୍ୟତୀତ ବ୍ୟବହାରକାରୀ ଚାଟିଂ, ମେସେଜ, ଭିଡିଓ, ଫଟୋ ଓ ଅଡିଓ କ୍ଲିପ୍‌ ସାଙ୍ଗସାଥୀଙ୍କ ସହିତ ସେୟାର କରି ପାରିବେ। ଏହି ଆପ୍‌ରେ ଲୋକେସନ୍‌ ବି ସେୟାର କରାଯାଇ ପାରିବ। ‘କିମ୍ଭୋ’ ଆପ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

କିଛିଦିନ ତଳେ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ସହିତ ମିଶି ବାବା ରାମଦେବ ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡକୁ ଉନ୍ମୋଚନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିମ୍‌ କାର୍ଡକୁ ପତଞ୍ଜଳିର କର୍ମଚାରୀ ଓ ଅଧିକାରୀମାନେ ବ୍ୟବହାର କରିବେ। ସାଧାରଣ ଲୋକଙ୍କ ପାଖରେ ଏହି ସିମ୍‌ କିଛି ଦିନ ପରେ ପହଞ୍ଚିବ। ଏହି ସିମ୍‌ ଥିବା ଲୋକଙ୍କୁ ପତଞ୍ଜଳି ଉତ୍ପାଦ କିଣିବା ବେଳେ ୧୦ପ୍ରତିଶତ ରିହାତି ପ୍ରଦାନ କରାଯିବ।

୧୪୪ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ସାରା ଦେଶରେ ଅସୀମିତ କଲ୍‌ କରିପାରିବେ, ୨ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ପାଇବେ। ଏହା ଉପରେ ଅଢ଼େଇ ଲକ୍ଷ ଟଙ୍କାର ମେଡିକାଲ୍‌ ବୀମା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମିଳିବ। କେବଳ ସଡ଼କ ଦୁର୍ଘଟଣା ଭଳି ପରିସ୍ଥିତିରେ ଏହି ବୀମା ରାଶି ମିଳିବ।

ସମ୍ବନ୍ଧିତ ଖବର