ହ୍ବାଟସ୍‌ଆପ୍‌ରେ ଭାଇରସ୍‌

ଇସ୍ରାଏଲ୍ ସଂସ୍ଥାର ଆକ୍ରମଣ ଜାରି ହେଲା ଅପ୍‌ଡେଟ୍‌

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକପ୍ରିୟ ମୋବାଇଲ୍ ମେ‌ସେଜିଂ ଆପ୍‌ ‘ହ୍ବାଟସ୍‌ଆପ୍‌’ ଉପରେ ସ୍ପାଏଓୟାର ବା ଭାଇରସ୍‌ ଆକ୍ରମଣ ହୋଇଛି। ଇସ୍ରାଏଲ୍‌ର ‘ଏନ୍‌ଏସ୍‌ଓ’ ନାମକ ଏକ ସଂସ୍ଥା ଏହି ଆକ୍ରମଣ କରିଥିବା ଜଣାପଡ଼ିଛି।
ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍ସନ ସୁବିଧା ପ୍ରଦାନ କରୁଥିବା ହ୍ବାଟସ୍‌ଆପ୍ ନିରାପତ୍ତାରେ ଯେ ଛିଦ୍ର ଥିବା ବିଷୟ ଜଣାପଡ଼ିବା ପରେ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିବିଶେ‌ଷ, ସରକାର ଏବଂ ବିଭିନ୍ନ ପ୍ରକାର ସଂସ୍ଥା ଚିନ୍ତିତ ହୋଇପଡ଼ିଛନ୍ତି। ହ୍ବାଟସ୍‌ଆପ୍ ଏକ ଅତ୍ୟନ୍ତ ସୁରକ୍ଷିତ ଯୋଗାଯୋଗ ମାଧ୍ୟମ ଭାବେ ଲୋକଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ଏହାର ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌ ସୁବିଧା ଯୋଗୁ କେବଳ ମେସେଜ୍ ପଠାଉଥିବା ଏବଂ ପାଉଥିବା ବ୍ୟକ୍ତି ହିଁ ମେସେଜ୍‌କୁ ଦେଖିପାରନ୍ତି। ମାତ୍ର ହ୍ବାଟସଆପ୍ ଜରିଆରେ କରାଯାଉଥିବା ଫୋନ୍ କଲ୍‌ର ନିରାପତ୍ତାରେ ଛିଦ୍ର ରହିଯାଇଥିଲା। ତାହାକୁ ଜାଣିପାରିବ ଇସ୍ରାଏଲ୍‌ର କଂପାନି ସ୍ପାଏଓୟାର୍‌ ଆକ୍ରମଣ କରିବାରେ ସଫଳ ହୋଇଛି। ହ୍ବାଟସ୍‌ଆପ୍‌ରେ କଲ୍ ଆସିବା ବେଳେ ଏହି ସ୍ପାଏଓୟାର‌ ଆପେ ଫୋନ୍‌ରେ ଇନଷ୍ଟଲ୍ ହୋଇଯାଉଛି। ଯେଉଁମାନଙ୍କ ଫୋନ୍‌ରେ ଏହି ସ୍ପାଏଓୟାର ପ୍ରବେଶ କରିଛି ଉକ୍ତ ଫୋନ୍‌ରେ ଥିବା ସବୁ ପ୍ରକାର ତଥ୍ୟ ଯଥା କଲ୍‌ ବିବରଣୀ, ଇ-ମେଲ୍‌, ମେସେଜ୍, ଫେଟୋ ଇତ୍ୟାଦିକୁ ଇସ୍ରା‌ଏଲ୍‌ର ଏହି ଇଣ୍ଟେଲିଜେନ୍ସ କଂପାନି ହାସଲ କରିପାରୁଛି। ଏହି ଆକ୍ରମଣ ଦ୍ବାରା ବିଶ୍ବର କେତେ ଫୋନ୍ ପ୍ରଭାବିତ ହୋଇଛି ତାହା ଜଣାପଡ଼ିନାହିଁ।
ଗତ ମାସରେ ହ୍ବାଟସ୍‌ଆପ୍ ଏଭଳି ଆକ୍ରମଣ ବିଷୟରେ ସୂଚନା ପାଇବା ପରେ ନିରାପତ୍ତା ପ୍ରାଚୀରରେ ଥିବା ଛିଦ୍ରକୁ ପୂରଣ କରିବା‌ ଉଦ୍ୟମ ଆରମ୍ଭ କରିଥିଲା। ବ୍ୟବହାରକାରୀଙ୍କୁ ଏକ ସୁରକ୍ଷିତ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ କଂପାନି ହ୍ବାଟସ୍‌ଆପ୍‌ର ଅପଡେଟ୍‌ ଜାରି କରିଛି। ତୁରନ୍ତ ନିଜ ଆପ୍‌କୁ ଅପ୍‌ଡେଟ୍‌ କରାଇନେବାକୁ ହ୍ବାଟସ୍‌ଆପ୍ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଆହ୍ବାନ ଦିଆଯାଇଛି।
ହ୍ବାଟସ୍‌ଆପ୍ ନିରାପତ୍ତା ପ୍ରାଚୀର ଭଙ୍ଗ ହୋଇଥିବା ବିଷୟରେ ପ୍ରଥମ ରିପୋର୍ଟ ‘ଫାଇନାନ୍ସିଆଲ୍ ଟାଇମସ୍‌’ରେ ପ୍ରକାଶ ପାଇଥିଲା। ଏହି ଭାଇରସ୍‌ ଆକ୍ରମଣ ବିଷୟରେ ଫେସବୁକ୍ ମାଲିକାନାରେ ଥିବା ହ୍ବାଟସଆପ୍ ବିଶ୍ବ ପ୍ରମୁଖ ନିରାପତ୍ତା ଏଜେନ୍ସି ଓ ଆମେରିକାର ନ୍ୟାୟ ବିଭାଗକୁ ସୂଚନା ଦେଇଛି।
ଇସ୍ରାଏଲ୍‌ର କଂପାନି ଏନ୍‌ଏସ୍‌ଓ ପକ୍ଷରୁ ସ୍ପାଏଓୟାର ଆକ୍ରମଣ ପାଇଁ ଯେଉଁ କୋଡ୍ ବିକଶିତ କରାଯାଇଥିଲା ତାହା ହେଉଛି ‘ପେଗାସସ’ ନାମକ ଏକ ପ୍ରୋଗ୍ରାମର ଏକ ଅଂଶ। ଏହି ପ୍ରୋଗ୍ରାମ କୌଣସି ଫୋନ୍‌ରେ ପ୍ରବେଶ କଲେ ତାହାର କ୍ୟାମେରା ଏବଂ ମାଇକ୍ରୋଫୋନ୍‌କୁ ଅନ୍‌ କରିପାରେ ଏବଂ ଫଟୋ ଏବଂ ମେସେଜ୍‌କୁହାସଲ କରିବା ସହିତ ଲୋକେସନ ତଥ୍ୟ ମଧ୍ୟ ସଂଗ୍ରହ କରିନିଏ। ଏହି ପ୍ରୋଗ୍ରାମକୁ ବ୍ରିଟେନର ଜଣେ ଆଇନଜୀବୀଙ୍କୁ ଟାର୍ଗେଟ କରି ବିକଶିତ କରାଯାଇଥିଲା। ସେହି ଆଇନଜୀବୀ ଜଣକ ମେକ୍ସିକୋର ଏକ ସାମ୍ବାଦିକ ଦଳ, ସରକାରଙ୍କ ସମାଲୋଚନା ଏବଂ ସାଉଦି ଆରବ ଉପରେ ଅସନ୍ତୁଷ୍ଟ ଥିବା ଜଣେ ବ୍ୟକ୍ତିଙ୍କ ପାଇଁ ମାମଲା ପରିଚାଳନା କରୁଛନ୍ତି। ଅବଶ୍ୟ, ଏନ୍‌ଏସଓ ପକ୍ଷରୁ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି। କଂପାନି ଏହାର କୌଣସି ପ୍ରଯୁକ୍ତିକୁ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଲକ୍ଷ୍ୟରେ ରଖି ବ୍ୟବହାର କରେ ନାହିଁ ବୋଲି ଏନ୍‌ଏସଓ ସ୍ପଷ୍ଟ କରିଦେଇଛି।

ସମ୍ବନ୍ଧିତ ଖବର