ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ରକ୍ଷା କରିବି : ଦାୟିତ୍ୱ ଗ୍ରହଣ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ମନ୍ତବ୍ୟ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସେ ଏହି କେନ୍ଦ୍ରୀୟ ବ୍ୟାଙ୍କର ସ୍ୱତନ୍ତ୍ରତା, ମୂଲ୍ୟବୋଧ ଓ ପେସାଦାର ପରିବେଶ ବଜାୟ ରଖିବାକୁ ଉଦ୍ୟମ କରିବେ । ଭାରତୀୟ ଅର୍ଥନୀତିର ସ୍ୱାର୍ଥରକ୍ଷା ପାଇଁ ଉଦ୍ୟମ କରିବେ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହେବା ମୋ ପାଇଁ ଏକ ସମ୍ମାନର ବିଷୟ, ସମସ୍ତଙ୍କ ସହ ମିଶି କାମ କରିବି । ବ୍ୟାଙ୍କମାନଙ୍କର ନଗଦ ଅର୍ଥ ବା ଲିକ୍ୱିଡିଟି ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ବ୍ୟାଙ୍କ କ୍ଷେତ୍ର ଆମ ଦେଶର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ । ଏଣୁ ବ୍ୟାଙ୍କ ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଲାଗି ଆସନ୍ତା କାଲି ବ୍ୟାଙ୍କମାନଙ୍କର ସିଇଓ ତଥା ଏମଡିମାନଙ୍କର ଏକ ବୈଠକ ଡକାଯାଇଛି । ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଭିରାଲ ଆଚାର୍ଯ୍ୟ ଇସ୍ତଫା ଦେଉଥିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଏପରି କୌଣସି ସମ୍ଭାବନା ନାହିଁ । କାରଣ ସେ ଖୁବଶୀଘ୍ର ତାଙ୍କ ସହିତ ଚା’ ପିଇବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବତନ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ତଥା ଅର୍ଥ ଆୟୋଗର ସଦସ୍ୟ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସଙ୍କୁ ସରକାର ଗତକାଲି ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ କରିଥିଲେ । ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ ।

ସମ୍ବନ୍ଧିତ ଖବର