ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ, ସ୍ପଷ୍ଟ କଲା ଆଇଏମ୍ଏଫ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବରେ ସାରା ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଯାଇଛି ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସ୍ପଷ୍ଟ କରିଛି। ଆଇଏମ୍ଏଫ୍‌ର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି ଯେ, ଏଥର ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହା ୨୦୦୮ ତୁଳନାରେ ଅଧିକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ। ୨୦୦୮‌ରେ କେବଳ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ଏଥର କିନ୍ତୁ ଉଭୟ ଆର୍ଥିକ ଓ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବ ବୋଲି ସେ କହିଛନ୍ତି। ଜର୍ଜିଭା କହିଛନ୍ତି, କୋଭିଡ୍‌-୧୯ ବିରୋଧରେ ସାରା ବିଶ୍ବରେ ଜୀବନ ବଞ୍ଚାଇବା ଲାଗି ଲଢ଼େଇ ଚାଲିଛି। ଏହା ସହିତ ଜୀବିକା ବଞ୍ଚାଇବା ଲାଗି ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଅନୁସାରେ, ବର୍ତ୍ତମାନ ସାରା ବିଶ୍ବରେ ୧୦ ଲକ୍ଷରୁ ଅଧିକ ଲୋକ କୋଭିଡ୍‌-୧୯ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଭାରତ ସମ୍ପର୍କରେ ସେ କହିଛନ୍ତି ଯେ କରୋନା ଭୂତାଣୁ ମୁକାବିଲା ଲାଗି ସାରା ଦେଶରେ ୨୧ ଦିନର ଲକ୍‌ ଡାଉନ୍ ଘୋଷଣା କରାଯାଇଛି। ଭାରତ ଏଭଳି ଏକ ଦେଶ ଯେଉଁ ଠାରେ ବେତନ ମାଧ୍ୟମରେ ଆୟ କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍। ଏଠାରେ ଅସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ବହୁତ। ଲକ୍‌ ଡାଉନ୍ କାରଣରୁ କାରଖାନା ଏବଂ ମାନୁଫାକ୍‌ଚରିଂ ୟୁନିଟ୍‌ଗୁଡ଼ିକ ବନ୍ଦ ହୋଇଯାଇଛି। ଏହା ଦ୍ବାରା ଅସ୍ଥାୟୀ କର୍ମଚାରୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ପାଇଁ ଖାଦ୍ୟପାନୀୟ ଯୋଗାଡ଼ କରିବା ସଙ୍କଟ ଦେଖାଦେଇଛି। ଲକ୍‌ ଡାଉନ୍‌ର ପ୍ରଭାବକୁ ନଜରରେ ରଖି ଶ୍ରମିକ ବର୍ଗର ଲୋକମାନଙ୍କ ପାଇଁ ଆର୍ଥିକ ପ୍ୟା‌କେଜ୍ ଘୋଷଣା କରିବାକୁ ଅର୍ଥନୀତିଜ୍ଞମାନେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଭାରତରେ ଯଦି ଲକ୍‌ ଡାଉନ୍ ଅବଧି ଲମ୍ବା ସମୟ ପାଇଁ ରହିବ ତେବେ ଜନସଂଖ୍ୟାର ଏକ ବଡ଼ ଭାଗ ଭୋକ ଉପାସରେ ମରିଯିବେ। ଏବେ ମନରେଗା ଭଳି ଯୋଜନାରୁ ମଧ୍ୟ ଲକ୍ଷାଧିକ ଲୋକ ବଞ୍ଚିତ ଅଛନ୍ତି। ଇତି ମଧ୍ୟରେ ବିଶ୍ବ‌ର ଅନେକ ପ୍ରମୁଖ ଆର୍ଥିକ ସଂସ୍ଥା ଭାରତର ଅଭିବୃଦ୍ଧି ହାର ବହୁତ ତଳକୁ ଖସିଯିବ ବୋଲି ଅନୁମାନ ଲଗାଇଛନ୍ତି। ଗତକାଲି ରେଟିଂ ଏଜେନ୍ସି ଫିଚ୍‌ ଜଣାଇଥିଲା ଯେ, ଭାରତର ଅଭିବୃଦ୍ଧି ୫.୧ ପ୍ରତିଶତ ନୁ‌ହେଁ ୨ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବ। ସେହିପରି ମୁଡିସ୍‌ ଅନୁମାନ ଲଗାଇଛି ଯେ ୨୦୨୦ରେ ଭାରତର ଅଭିବୃଦ୍ଧି ୨.୫% ଭଳି ସ୍ତରକୁ ହ୍ରାସ ପାଇବ। ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କର ଆକଳନ ହେଉଛି, ଭାରତର ଅଭିବୃଦ୍ଧି ୨୦୨୦-୨୧ ଆର୍ଥିକ ବର୍ଷରେ ୪ ପ୍ରତିଶତ ହେବ। କରୋନା ପ୍ରଭାବରେ ବିଶ୍ବ ଅର୍ଥନୀତିକୁ ୪ ଟ୍ରିଲିଅନ୍ ଡଲାର କ୍ଷତି ହେବ ବୋଲି ଏଡିବି ଅନୁମାନ ଲଗାଇଛି।

ଭାରତର ଅଭିବୃଦ୍ଧି ୪%କୁ ଖସିବ: ଏଡିବି
ନୂଆଦିଲ୍ଲୀ: କରୋନା ପ୍ରଭାବରେ ଭାରତର ଅଭିବୃଦ୍ଧି ହାର ୪ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବ ବୋଲି ଏସିଆନ୍ ଡେଭେଲପ୍‌ମେଣ୍ଟ୍ ବ୍ୟାଙ୍କ (ଏଡିବି) ଆକଳନ କରିଛି। ଏଡିବିର ମୁଖ୍ୟ ଅର୍ଥନୀତିଜ୍ଞ ୟାସୁଓ୍‌ବିକି ସାୱଡା କହିଛନ୍ତି, କରୋନା ଭୂତାଣୁ ବିଶ୍ବ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଥିବା ବେଳେ ଭାରତୀୟ ଅର୍ଥନୀତିରେ ଯେଉଁ ସୁଧାର ହେଉଥିବା ତାକୁ ମଧ୍ୟ ପ୍ରଭାବିତ କରିଛି। ଭାରତୀୟ ଅର୍ଥନୀତି କିନ୍ତୁ ବେଶ ସୁଦୃଢ଼ ଥିବାରୁ ଆସନ୍ତା ଆର୍ଥିକ ବର୍ଷରେ ତାହା ଦ୍ରୁତ ଗତିରେ ସୁଧାର ପଥକୁ ଫେରିବ ବୋଲି ସେ କହିଛନ୍ତି। ବ୍ୟକ୍ତିଗତ ଆୟକର ଓ କଂପାନି ଟିକସରେ କରାଯାଇଥିବା ସଂସ୍କାର, କୃଷି ଓ ଗ୍ରାମୀଣ କ୍ଷେତ୍ର ପ୍ରତି ଗୁରୁତ୍ବ ଏବଂ ଆର୍ଥିକ କ୍ଷେତ୍ରରେ ରହିଥିବା ଚାପ ଦୂର କରିବା ଲାଗି ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଭାରତୀୟ ଅର୍ଥନୀତିକୁ ଦ୍ରୁତ ସୁଧାର ପଥକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର