୩୪ ବର୍ଷରେ ବିଶ୍ୱର ତୃତୀୟ ଧନୀ

ଓ୍ଵାସିଂଟନ: ଫେସ୍‌ବୁକ୍‌ର ସହ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୩୪ ବର୍ଷ ବୟସରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ପୂର୍ବରୁ ସେ ବିଶ୍ୱର ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଥିବା ବେଳେ ଏବେ ତୃତୀୟ ସ୍ଥାନକୁ ଉଠିଛନ୍ତି। ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଏବଂ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହାଫଳରେ ପ୍ରଥମ ଥର ପାଇଁ ପ୍ରଯୁକ୍ତି କ୍ଷେତ୍ରର ୩ ଜଣ ବ୍ୟକ୍ତି ବିଶ୍ୱର ଧନୀ ତାଲିକାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଫେସ୍‌ବୁକ୍‌ କମ୍ପାନିର ସେୟାର ମୂଲ୍ୟରେ ୨.୪ ପ୍ରତିଶତ ବୃଦ୍ଧି ଘଟିବା ଯୋଗୁଁ ଜୁକରବର୍ଗ ଏହି ସ୍ଥାନ ହାସଲ କରିପାରିଛନ୍ତି। ଜୁକରବର୍ଗଙ୍କ ସମ୍ପତ୍ତି ୮୧.୬ ବିଲିଅନ ଡଲାରରେ ପହଞ୍ଚି ପାରିଛି। ବ୍ଲୁମବର୍ଗର ବିଲିୟନେୟାର ସୂଚୀ ପକ୍ଷରୁ ଏହି ଧନୀ ତାଲିକା ପ୍ରସ୍ତୁତ କରାଯାଇଛି। ୮୭ ବର୍ଷୀୟ ଓ୍ଵାରେନ୍‌ ବଫେଟଙ୍କ ତୁଳନାରେ ଜୁକରବର୍ଗଙ୍କ ସମ୍ପତ୍ତି ପ୍ରାୟ ୩୭୩ ନିୟୁତ ଡଲାର ଅଧିକ ରହିଛି। ଲୋକଙ୍କ ତଥ୍ୟ ଅନ୍ୟକୁ ଦେବା ଅଭିଯୋଗରେ ପଡ଼ିଥିବା ସୋସିଆଲ ନେଟଓ୍ଵାର୍କିଂ କମ୍ପାନି ଫେସ୍‌ବୁକ୍‌ର ସେୟାର ମୂଲ୍ୟ ଗତ ମାର୍ଚ୍ଚ ମାସରେ ୧୫୨.୨୨ ଡଲାରକୁ ଖସି ଯାଇଥିଲା। ଫଳରେ ଗତ ୮ ମାସ ମଧ୍ୟରେ ଫେସବୁକ୍‌ର ସେୟାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଚାଲି ଯାଇଥିଲା। କିନ୍ତୁ ପରେ ଏଥିରେ ଉନ୍ନତି ଆସିଛି। ଗତ ଶୁକ୍ରବାର ଏହି କମ୍ପାନିର ସେୟାର ମୂଲ୍ୟ ରେକର୍ଡ ୨୦୩.୨୩ ଡଲାରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର