ପଞ୍ଚବାର୍ଷିକ ଯୋଜନା ସପକ୍ଷରେ ଯୁକ୍ତି

ନୂଆଦିଲ୍ଲୀ: ଦେଶର ଅଭିବୃଦ୍ଧି ହାରକୁ ତ୍ବରାନ୍ବିତ କରିବା ପାଇଁ ପଞ୍ଚବାର୍ଷିକ ଯୋଜନା ଫେରାଇ ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ରାକେଶ ମୋହନ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ତାହାର ନାମକରଣ ଯାହା କରାଯାଉ ନା କାହିଁକି, ପଞ୍ଚବାର୍ଷିକ ଯୋଜନାକୁ ଫେରାଇ ଆଣିବାକୁ ପଡ଼ିବ। ସେ କହିଲେ, ଭାରତ ସ୍ବାଧୀନ ହେବା ପରଠାରୁ ସବୁ ବେଳେ ଉଚ୍ଚ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେଇଛି। ‌ସର୍ବଦା ପଞ୍ଚବାର୍ଷିକ ଯୋଜନା ଘୋଷଣା କରାଯାଉଥିଲା। ପ୍ରତି ଯୋଜନାରେ ଅଭିବୃଦ୍ଧି ପାଇଁ ଏକ ନିର୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରାଯାଉଥିଲା। ଏହା ବ୍ୟତୀତ ବାର୍ଷିକ ଲକ୍ଷ୍ୟ ମଧ୍ୟ ରହୁଥିଲା। ତେଣୁ ଅଭିବୃଦ୍ଧିର ଅନୁଶୀଳନ କରିବା ବେଶ ସହଜ ହେଉଥିଲା। ପଞ୍ଚବାର୍ଷିକ ଯୋଜନାରେ ଧାର୍ଯ୍ୟ କରାଯାଉଥିବା ଲକ୍ଷ୍ୟର ୯୦% ହାସଲ ହୋଇପାରୁଥିଲା ବୋଲି ସେ କହିଛନ୍ତି। ତେଣୁ ପଞ୍ଚବାର୍ଷିକ ଯୋଜନାକୁ ଫେରାଇ ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଆପଣ ଏହାର ନାମ ଯାହା ବି କିଛି ରଖିପାରିବେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ବିଭାଗ ଓ ମନ୍ତ୍ରଣାଳୟକୁ ପାଞ୍ଚ ବର୍ଷ ପାଇଁ ନିଜ ନିଜର ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ। ସେହି କଥାକୁ ଇଙ୍ଗିତ କରି ଶ୍ରୀ ମୋହନ ଏହା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରୁଥିବା ଯୋଜନା ଆୟୋଗକୁ ସରକାର ଭାଙ୍ଗି ଦେଇଛନ୍ତି। ଏହା ସ୍ଥାନରେ ନିତି ଆୟୋଗ ଗଠନ କରାଯାଇଛି। କିନ୍ତୁ ଉଭୟ ସଂସ୍ଥାର କାର୍ଯ୍ୟ ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି।

ସମ୍ବନ୍ଧିତ ଖବର