ଯୁବପିଢ଼ିଙ୍କ ପସନ୍ଦ ରେସ୍ତୋରାଁରେ ପରଶା ଯାଉଥିବା ଦେଶୀ ଖାଦ୍ୟ

ନୂଆଦିଲ୍ଲୀ: ନୂଆ ପିଢ଼ିର ଯୁବକଯୁବତୀମାନେ ବାହାରେ ଖାଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତି ମାସରେ ଅତି କମରେ ତିନି ଥର ସେମାନେ ଖାଇବାକୁ ରେସ୍ତୋରାଁ ଯାଉଛନ୍ତି। ଏକ ସର୍ବେକ୍ଷଣାରୁ ଏହା ଜଣାପଡ଼ିଛି। ଦେଶର ପ୍ରମୁଖ ସହରରେ ଥିବା ୧୨୦୦ ରେସ୍ତୋରାଁକୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ସେହି ସବୁ ରେସ୍ତୋରାଁକୁ ଖାଇବାକୁ ଆସୁଥିବା ୬୦% ଯୁବକଯୁବତୀ କହିଥିଲେ ଯେ ସେମାନେ ପ୍ରତି ମାସରେ ଅତି କମ୍‌ରେ ତିନି ଥର ବାହାରେ ଖାଉଛନ୍ତି। ଅନ୍ୟମାନେ ଏକାଧିକ ଥର ବାହାରେ ଖାଉଥିବା ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଖାଇବା ବେଳେ ସେମାନେ ଅଜଣା ଖାଦ୍ୟକୁ ବେଶି ପସନ୍ଦ କରୁନାହାନ୍ତି। ଏବେ ବି ନୂଆ ପିଢ଼ିର ଭାରତୀୟମାନେ ଭାରତୀୟ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ସେମାନେ ଖାଉଥିବା ଖାଦ୍ୟ ମଧ୍ୟରୁ ୨୪% ଭାରତୀୟ ଖାଦ୍ୟ ଓ ୨୨% ବିଭିନ୍ନ ପ୍ରକାର ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟ ରହୁଛି। ଏସିଆର ବିଭିନ୍ନ ରାଷ୍ଟ୍ରର ଖାଦ୍ୟ ଖାଇବାକୁ ମଧ୍ୟ ଭାରତୀୟମାନେ ପସନ୍ଦ କରୁଛନ୍ତି। ସେମାନଙ୍କ ଚତୁର୍ଥ ପସନ୍ଦ ହେଉଛି କଫି। ମେକ୍ସିକୋ, ଆରବ ରାଷ୍ଟ୍ର, ଲେବାନନ୍‌ର ସ୍ଥାନୀୟ ଖାଦ୍ୟଗୁଡ଼ିକୁ ମଧ୍ୟ ଯୁବପିଢ଼ି ପସନ୍ଦ କରୁଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି। ସହରରେ ଥିବା ରେସ୍ତୋରାଁଗୁଡ଼ିକରେ ଓଡ଼ିଶା, ପଶ୍ଚିମ ବଙ୍ଗ, ଉତ୍ତର ପୂର୍ବାଞ୍ଚଳ, ତିବତ୍‌ ଓ ଅଓ୍ଵଧ୍‌ର ସ୍ଥାନୀୟ ଖାଦ୍ୟଗୁଡ଼ିକ ଅଧିକ ବିକ୍ରି ହେଉଛି।

Reader’s Digest

ଭାରତୀୟମାନେ ଏବେବି ସ୍ଥାନୀୟ ସଂସ୍ଥା ଦ୍ୱାରା ଖୋଲାଯାଉଥିବା ରେସ୍ତୋରାଁରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ମୋଟ ରେସ୍ତୋରାଁରେ ୮୨% ଭାଗ ସ୍ଥାନୀୟ ସଂସ୍ଥାର ରହୁଥିବା ବେଳେ ୧୮% ରେସ୍ତୋରାଁ ବିଦେଶୀ ସଂସ୍ଥା ଦ୍ୱାରା ଖୋଲାଯାଇଛି। ଆନ୍ତର୍ଜାତିକ ଆଉଟ୍‌ଲେଟ୍‌ ମଧ୍ୟରେ ଆମେରିକାର ରେସ୍ତୋରାଁ ସଂଖ୍ୟା ଅଧିକ ରହିଛି। ଦେଶର ୬୨% ଆନ୍ତର୍ଜାତିକ ବ୍ରାଣ୍ଡ୍‌ର ରେସ୍ତୋରାଁ ସପିଙ୍ଗ୍‌ ମଲ୍‌ ଭିତରେ ରହିଛି। ସେହିପରି ୬୮% ଲୋକପ୍ରିୟ ସ୍ଥାନୀୟ ରେସ୍ତୋରାଁ ଚାହିଦାରେ ଥିବା ସଡ଼କ ପାର୍ଶ୍ୱରେ ରହିଛି। ଜଗତ୍‌କରଣର ପ୍ରଭାବ ଯୋଗୁଁ କିଛି ବର୍ଷ ଭିତରେ ଭାରତୀୟମାନେ ଅନେକ ଆନ୍ତର୍ଜାତିକ ଟ୍ରେଣ୍ଡ୍‌ ବିଷୟରେ ଅବଗତ ହୋଇପାରିଛନ୍ତି। ସେମାନେ ବିଦେଶର ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ସୁଯୋଗ ମଧ୍ୟ ପାଇଛନ୍ତି। ଫଳରେ ସେମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଦେଖାଦେଇଛି।

ସମ୍ବନ୍ଧିତ ଖବର