୧୩ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବା ସହ ଅନ୍ୟମାନଙ୍କ ୫୦ ପ୍ରତିଶତ ଦରମା କାଟିବାକୁ ନିଷ୍ପତ୍ତି ନେଲା ଜୋମାଟୋ

ମୁମ୍ବାଇ: ଦେଶରେ କରୋନା ଭୂତାଣୁ ମହାମାରୀକୁ ନଜରରେ ରଖି ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି | ତେବେ ଏହି ସମୟରେ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ କର୍ମଚାରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଜୋମାଟୋ ଏହାର ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ କମ୍ପାନୀ ଅବଶିଷ୍ଟ କର୍ମଚାରୀଙ୍କ ବେତନକୁ ୫୦ ପ୍ରତିଶତ ହ୍ରାସ କରିବ ବୋଲି କହିଛି । ଦେଶବ୍ୟାପୀ ତାଲା ପଡ଼ିଥିବାରୁ ଖାଦ୍ୟ ଅର୍ଡର ହ୍ରାସ ପାଇବା ପରେ ଏହି ନିଷ୍ପତ୍ତି ନେବାକୁ ପଡିଛି ବୋଲି ଜୋମାଟୋ ପକ୍ଷରୁ କୁହାଯାଇଛି ।

କମ୍ପାନୀର ବରିଷ୍ଠ କର୍ମଚାରୀଙ୍କ ଦରମା ହ୍ରାସ ଜୁନ ମାସରୁ କରାଯିବ ବୋଲି କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ଶୁକ୍ରବାର ଦିନ କହିଛନ୍ତି | ସେ କହିଛନ୍ତି ଯେ ଭବିଷ୍ୟତରେ ଆମ ପାଇଁ ପର୍ଯ୍ୟାପ୍ତ କାମ ରହିବ ନାହିଁ । ଗୋୟଲ କହିଛନ୍ତି ଯେ ଖରାପ ସମୟ ପାଇଁ କମ୍ପାନୀ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।


ତେବେ ଜୋମାଟୋ ଏମିତି ଏକ ସମୟରେ ଛଟେଇ ନିଷ୍ପତ୍ତି ନେଇଛି ଯେତେବେଳେ ସରକାର ଲକଡାଉନରେ ବ୍ୟବସାୟ ପାଇଁ ନିୟମରେ ଅନେକ ପରିବର୍ତ୍ତନ କରିଛନ୍ତି | ତୃତୀୟ ପର୍ଯ୍ୟାୟ ଲକଡାଉନରେ ବ୍ୟବସାୟୀମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଅନେକ ରିହାତି ଦେଇଛନ୍ତି | ସେହିପରି ଗତ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ଅଭିଭାଷଣରେ କହିଥିଲେ ଯେ ଲକଡାଉନ ୪.୦ ଏକ ଭିନ୍ନ ଢଙ୍ଗରେ ହେବ | ଏଠାରେ ସୂଚନା ଥାଉ କି ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ ସ୍ଥିତି ଜାରି ରହିଥିବାବେଳେ ଲକଡାଉନ୍ ର ତୃତୀୟ ପର୍ଯ୍ୟାୟ ମେ ୧୭ ରେ ଶେଷ ହେବ | ଏହା ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର