ଅଢ଼େଇ ବର୍ଷ ପରେ ଅଭିଯୁକ୍ତ ଗିରଫ
ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ୭୦ ଲକ୍ଷ ଟଙ୍କା ଠକେଇ
ଖଣ୍ଡଗିରି : ଜାଲ୍ ରେକର୍ଡ ପତ୍ର ବଳରେ ବ୍ୟାଙ୍କକୁ ୭୦ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ଅଭିଯୋଗରେ ଗୁରୁବାର ଚନ୍ଦକା ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଭଦ୍ରକ ଅଗରପଡ଼ାର ମିଲନ୍ କୁମାର ମହାନ୍ତି(୫୦)। ଦୀର୍ଘ ଅଢ଼େଇ ବର୍ଷର ଲୁଚକାଳି ଖେଳ ପରେ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ ଗତ ୨୦୧୩ ମସିହାରେ ମିଲନ୍ ଚନ୍ଦକା ଥାନା ଗୋଠପାଟଣା ଆନ୍ଧ୍ରବ୍ୟାଙ୍କ ଶାଖାରୁ ବ୍ୟବସାୟ କରିବା ପାଇଁ ଋଣ କରିଥିଲେ। ଜାଲ୍ କାଗଜପତ୍ର ଦେଖାଇ ସେ ବ୍ୟାଙ୍କରୁ ୭୦ ଲକ୍ଷ ଟଙ୍କା ଋଣ ହାତେଇଥିଲେ। ଖଣ୍ଡଗିରି ଆଇଗିଣିଆଠାରେ ତାଙ୍କର କୋଟି କୋଟି ଟଙ୍କାର ଜମି ଥିବା ରେକର୍ଡ ଦେଖାଇ ସେ ବ୍ୟାଙ୍କ ଅଧିକାରୀଙ୍କୁ ଫସାଇ ଦେଇଥିଲେ। ଭୁବନେଶ୍ୱର ଲୁଇସ୍ ରୋଡ୍ରେ ତାଙ୍କର ମାରୁତି ଫାର୍ମାସିଉଟିକାଲ୍ସ ନାମରେ ଏକ ସଂସ୍ଥା ଅଛି ବୋଲି ସେ ବ୍ୟାଙ୍କକୁ ଦେଖାଇଥିଲେ। ତାହା ବି ମିଛ ବୋଲି ପରେ ଜଣାପଡ଼ିଥିଲା। କିନ୍ତୁ ଋଣ ହାତେଇ ସାରିବା ପରେ ସେ ଗୋଟିଏ ବି କିସ୍ତି ଶୁଝିବା ନାଁ ଧରିନଥିଲେ କି ବ୍ୟାଙ୍କକୁ ଧରାଛୁଅାଁ ଦେଇନଥିଲେ। ଋଣ ଟଙ୍କାକୁ ବ୍ୟବସାୟରେ ବିନିଯୋଗ ନ କରି ସେ ୧୨ଟି ଭିନ୍ନ ବ୍ୟାଙ୍କ ଆକଉଣ୍ଟରେ ଜମା କରିବା ସହ କିଛି ଟଙ୍କାରେ ଜମି ଓ ସୁନା କିଣିପକାଇଥିଲେ।
ତେବେ ୨୦୧୫ ମସିହା ପର୍ଯ୍ୟନ୍ତ ଆନ୍ଧ୍ରା ବ୍ୟାଙ୍କ ନୋଟିସ୍ ଫେରିବା ପରେ ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ବାଧ୍ୟହୋଇ ଚନ୍ଦକା ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଚନ୍ଦକା ଥାନା ପୁଲିସ ମାମଲା ରୁଜୁ କରିବା ପରେ ମିଲନ୍ଙ୍କୁ ଖୋଜିଥିଲା। ଭୁବନେଶ୍ୱର ଶିଶୁପାଳଗଡ଼ରୁ ଆରମ୍ଭ କରି ମୟୂରଭଂଜର ଉଦଳା ଓ ଭଦ୍ରକର ଅଗରପଡ଼ା ପର୍ଯ୍ୟନ୍ତ ପୁଲିସ ବୁଲିଥିଲା। କିନ୍ତୁ ମିଲନ୍ଙ୍କ ପତ୍ତା ମିଳିନଥିଲା। ମାତ୍ର ଅଧିକାଂଶ ସମୟ ମିଲନ୍ ଶିଶୁପାଳଗଡ଼ରେ ଏକ ଭଡ଼ାଘରେ ରହୁଥିବା ନେଇ ଚନ୍ଦକା ପୁଲିସ ସୂଚନା ପାଇଥିଲା। ଆଜି ସକାଳେ ପୁଲିସ ସେହିଘରେ ଚଢ଼ାଉ କରି ମିଲନ୍ଙ୍କୁ ଗିରଫ କରିଛି। ଚନ୍ଦକା ଥାନା ପୁଲିସ ସୂଚନାନୁସାରେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ପୂର୍ବରୁ ମେଡିସିନି ରିପ୍ରେଜେଣ୍ଟେଟିଭ୍ଭାବେ କାମ କରିଥିବା ମିଲନ୍ ଜଣେ ଧୂର୍ତ ଓ ଜମିଜମାର ଜାଲ୍ ରେକର୍ଡପତ୍ର ବଳରେ ବ୍ୟାଙ୍କକୁ ଚୁନ ଲଗାଇବାରେ ମାହିର୍ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।