ଆଜି ଅନ୍ତରାଷ୍ଟ୍ରୀୟ ନିଶା ବେପାରୀ ସେକ୍ ରାଜାକୁ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ବର: କ୍ରାଇମ ବ୍ରାଞ୍ଚର ଏସଟିଏଫ ହାତରେ ଗିରଫ ହୋଇଥିବା ଅନ୍ତରାଷ୍ଟ୍ରୀୟ ନିଶା ବେପାରୀ ସେକ୍ ରାଜାକୁ ବୁଧବାର ୭ଦିନ ଲାଗି ରିମାଣ୍ଡରେ ଅଣାଯିବ। ଆଜି ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟ ଏ ନେଇ ଅନୁମତି ପ୍ରଦାନ କରି ସାରିଛନ୍ତି। ରାଜାର ନେପାଳ ଓ ବାଲାଂଦେଶ ଲିଙ୍କ୍ ସମ୍ପର୍କରେ ଏହି ରିମାଣ୍ଡ ସମୟରେ ତଥ୍ୟ ସଂଗ୍ରହ କରାଯିବ। କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଛି, ରାଜା ବାଲାଂଦେଶରୁ ବ୍ରାଉନସୁଗାର ଆଣି ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ଓଡ଼ିଶାକୁ ପଠାଉଥିଲା। ଏଠାରେ ବାଲେଶ୍ବର, ଜଳେଶ୍ବର ଓ ଖୋର୍ଧା ଅଞ୍ଚଳରେ ତାର ସହଯୋଗୀମାନେ ରହି ଧଳା ଜହରର କାରବାର ଚଳାଉଥିଲେ। ରାଜା ହେଉଛି ଓଡ଼ିଶାରେ ବ୍ରାଉନସୁଗାର କାରବାରର କିଙ୍ଗପିନ। ତା’ ନିକଟରେ ସାରା ଦେଶରେ ବ୍ରାଉନସୁଗାର କାରବାର ନେଇ ବହୁତ ତଥ୍ୟ ରହିଛି। ସେହି ତଥ୍ୟ ସବୁ ତା ନିକଟରୁ କଢ଼ାଯିବା ପରେ କ୍ରାଇମ ବ୍ରାଞ୍ଚର ଏସଟିଏଫ ତାର ଛାନଭିନକୁ ଆହୁରି ମଜବୁତ କରିବା ସହିତ ରୢାକେଟର ମୂଳ ଯାଏ ଯିବାକୁ ଚେଷ୍ଟା କରିବ ବୋଲି ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ଗତକାଲି ଏସଟିଏଫ ପକ୍ଷରୁ ରାଜାକୁ ୭ ଦିନ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ପକ୍ଷରୁ ଏହା ଉପରେ ଶୁଣାଣି କରାଯାଇ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତାକାଲି ରାଜା ଏସଟିଏଫ ହେପାଜତକୁ ଚାଲି ଆସିବ।

ସମ୍ବନ୍ଧିତ ଖବର