କାଠ ଫାଳିଆରେ ପିଟି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ, ୨ ଭାଇ ଅଟକ

ଧଉଳି: ଧଉଳି ଥାନା ଅନ୍ତର୍ଗତ ବହିରଙ୍ଗେଶ୍ବର ମନ୍ଦିର ସମ୍ମୁଖରେ ଜଣେ ବୃଦ୍ଧଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ, ସରଦେଇପୁର ଗ୍ରାମର ବଂଶୀଧର କାଳିଆ (୭୦)। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ରଜ ଉପଲକ୍ଷେ ବହିରଙ୍ଗେଶ୍ବରଙ୍କ ପୀଠରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଏ ସଂପର୍କରେ ବଂଶୀଧରଙ୍କ ପୁଅ ମକରା ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ନମ୍ବର ୮୫/୧୯ ରେ ଏକ ହତ୍ୟା ମାମଲା ରୁଜୁ କରି ୨ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ମକରାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାପା ଗତକାଲି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ବେଳେ କୁମାରଡିହ ଗ୍ରାମର ପ୍ରଦୀପ ଓରଫ ଡୁଲା ପଣ୍ଡା ଓ ତାଙ୍କର ଅନ୍ୟ ୩ ଭାଇ ସହ କିଛି ଯୁବକ ବଂଶୀଧରଙ୍କୁ ଏକ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଧଉଳି ଥାନା ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ବଂଶୀଧରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ ଯୁବକମାନେ ଯାତ୍ରାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯାତ୍ରାରେ ଚାର୍ଟ ଦୋକାନ କରିଥିବା ବାଲିପାଟଣା ଥାନା ଅଧୀନ ଶିଶୁମଠ ସାହିର ଶ୍ୟାମସୁନ୍ଦର ବେହେରା ନାମକ ଜଣେ ବ୍ୟବସାୟୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁଯାୟୀ, ଏହି ଯୁବକମାନେ ଗଣ୍ଡଗୋଳ କରିବା ସମୟରେ କେହି ଭୟରେ ମୁହଁ ଖୋଲିନଥିଲେ। ହେଲେ ମକରା ଧଉଳି ଥାନାରେ ଏ ସଂପର୍କରେ ଜଣାଇବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ପହଞ୍ଚିଲା ବେଳକୁ ସେମାନେ ବଂଶୀଧରଙ୍କୁ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ। ଅପରପକ୍ଷେ ବଂଶୀଧରଙ୍କ ମୃତ୍ୟୁକୁ ନେଇ ଆଜି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଧଉଳି ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ପୁଲିସ ବୁଝାସୁଝା କରି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର