ଫ୍ରିଜ୍‌ ଭିତରୁ ମିଳିଲା ବାର୍‌ ଆଟେଣ୍ଡର୍‌ଙ୍କ ଖଣ୍ଡିତ ଶବ; ନିଖୋଜ ବନ୍ଧୁଙ୍କୁ ଖୋଜୁଛି ପୁଲିସ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ସାକେତ ଅଞ୍ଚଳର ଏକ ଆଧୁନିକତର ଗ୍ରାମ ସୈଦୁଲାଜାବ୍‌ସ୍ଥିତ ଜଣେ ସହକର୍ମୀଙ୍କ ଘରେ ଥିବା ଫ୍ରିଜ୍‌ରୁ ଜଣେ ୨୯ ବର୍ଷୀୟ ବ୍ୟକ୍ତିଙ୍କର ଖଣ୍ଡ ବିଖଣ୍ଡିତ ଶବ ମିଳିଛି ବୋଲି ଶନିବାର ଦିନ ପୁଲିସ କହିଛି।

ପୀଡ଼ିତ ବିପିନ ଯୋଶୀ ଗତ ସୋମବାର ରାତିରୁ ନିରୁଦ୍ଦେଶ ହୋଇ ଯାଇଥିଲେ। ଏ କଥା ପୁଲିସରେ ରିପୋର୍ଟ ହେବା ପରେ ଏକ ତଲାସ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ଆଡିସନାଲ୍‌ ଡିସିପି (ସାଉଥ୍‌) ଶ୍ରୀ ଚିନ୍ମୟ ବିଶ୍ୱାଳ କହିଛନ୍ତି।

ପୁଲିସ କହିଛି: ମାମଲାର ମୁଖ୍ୟ ସନ୍ଧିଗ୍ଧ ବାଦଲ ମଣ୍ଡଳ ହେଉଛନ୍ତି ଯୋଶୀଙ୍କର ସହକର୍ମୀ ଏବଂ ଅନ୍ତରଙ୍ଗ ବନ୍ଧୁ। ଏହି ଘଟନା ପରଠାରୁ ମଣ୍ଡଳ ଫେରାର ହୋଇ ଯାଇଛନ୍ତି। କିନ୍ତୁ, ଖୁବ୍‌ ଶୀଘ୍ର ତାଙ୍କୁ ଠାବ କରାଯିବ ବୋଲି ପୁଲିସ ଆଶା କରୁଛି। ବିଶ୍ୱାଳ କହୁଛନ୍ତି ଯେ ଦୁହେଁ ସାକେତ୍‌ସ୍ଥିତ ଗାର୍ଡେନ୍‌ ଅଫ୍‌ ଫାଇବ୍‌ ସେନ୍‌ସେସ୍‌ ମଧ୍ୟରେ ଥିବା ବାର୍‌ ଆଟେଣ୍ଡର୍‌ ଭାବେ ‘ଫିଓ କଣ୍ଟ୍ରି କିଚେନ୍‌ ଆଣ୍ଡ୍‌ ବାର୍‌’ରେ କାମ କରନ୍ତି।

Representative Image

ଦୁହେଁ ପାଖା ପାଖି ଅଞ୍ଚଳରେ ଭିନ୍ନ ଭିନ୍ନ ସ୍ଥାନରେ ଘର ଭଡ଼ା ନେଇ ରହୁଥିଲେ।

ଯୋଶୀଙ୍କର ପରିବାର ଉତ୍ତରାଖଣ୍ଡରେ ରହୁଥିବାବେଳେ ମଣ୍ଡଳ ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ଗତ ମାସରେ ପଶ୍ଚିମ ବଙ୍ଗରେ ଥିବା ନିଜ ଘରକୁ ପଠାଇ ଦେଇଥିଲେ।

ମାମଲାର ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ ସୋମବାର ରାତିରେ ଦୁହେଁ କାମ ସାରି ଏକାଠି କାର୍ଯ୍ୟସ୍ଥଳୀ ଛାଡ଼ି ଥିଲେ। ଦୁହେଁ ମଣ୍ଡଳଙ୍କ ଘରକୁ ଯାଇ ମଦ ପିଇଥିଲେ ବୋଲି ପ୍ରାଥମିକ ତଦନ୍ତ ଆଧାରରେ ବିଶ୍ୱାଳ କହିଛନ୍ତି।

Representative image Courtesy of Zee News

ଯୋଶୀଙ୍କ ସମ୍ପର୍କୀୟମାନେ ବହୁବାର ତାଙ୍କ ମୋବାଇଲ୍‌ ଫୋନ୍‌କୁ କଲ୍‌ କରି ଉତ୍ତର ପାଇବାରେ ଅସଫଳ ହେବାରୁ ତାଙ୍କ ଅନ୍ତର୍ଦ୍ଧାନ ପ୍ରସଙ୍ଗ ଗୁରୁବାର ଦିନ ଥାନାକୁ ଜଣାଇ ଦିଆଯାଇଥିଲା। ପରେ ପରେ ଏକ ତଲାସ ଅଭିଯାନ ଆରମ୍ଭ ହୋଇ ଥିଲା।

ଇତି ମଧ୍ୟରେ ବାଦଲ ମଧ୍ୟ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି।

ଶନିବାର ବିଳମ୍ବିତ ଅପରାହ୍ନରେ ସଇଦୁଲାଜାବ ଗାଁ’ର ଏକ ଘରୁ ଦୁର୍ଗନ୍ଧ ବାହାରୁ ଥିବା ଖବର ପିସିଆର୍‌କୁ ସୂଚନା ଦିଆ ଯାଇ ଥିଲା। ପୁଲିସ ଟିମ୍‌ ଘରକୁ ପ୍ରବେଶ କରି ଜାଣି ପାରିଲେ ଯେ ଦର ଆଉଜା ହୋଇ ଥିବା ଫ୍ରିଜ୍‌ ମଧ୍ୟରୁ ଦୁର୍ଗନ୍ଧ ବାହାରୁଛି।

Representative Image

ଦର ଆଉଜା ହୋଇ ଥିବା ରେଫ୍ରିଜେରେଟର୍‌ ମଧ୍ୟକୁ ଚାହିଁ ପୁଲିସ ଦେଖିଲା କଟା ହୋଇ ଥିବା ମଣିଷ ଶବର ଏକ ବଡ଼ ଅଂଶ।
ଘଟଣାର ଘଟଣା କ୍ରମ ଏବଂ ହତ୍ୟାର ରହସ୍ୟ ଏ ଯାଏଁ ପୁଲିସ ନିର୍ଦ୍ଧାରଣ କରି ପାରି ନାହିଁ।

ଶବକୁ ଫ୍ରିଜ୍‌ରେ ପୂରାଇବା ନିମନ୍ତେ ସେଥିରେ ଥିବା ଟ୍ରେ’ଗୁଡ଼ିକୁ କାଢ଼ି ଦିଆ ଯାଇଥିଲା। କିନ୍ତୁ, ଫ୍ରିଜ୍‌ ଉତ୍ତମ ରୂପେ ବନ୍ଦ ହୋଇ ନ ଥିବାରୁ ଖଣ୍ଡିତ ଶବ ପଚିବା ଆରମ୍ଭ ହୋଇଥିଲା।

ଶବକୁ ଖଣ୍ଡ ଖଣ୍ଡ କରିବାକୁ ମାଂସ କଟା ଚାପଡ଼ ବ୍ୟବହୃତ ହୋଇ ଥିବା କଥା ପୁଲିସ ସନ୍ଦେହ କରୁଛି। ହତ୍ୟାରେ ବ୍ୟବହୃତ ଅସ୍ତ୍ରଟି ମଧ୍ୟ ଉଦ୍ଧାର କରାଯାଇ ନାହିଁ।

ଜଣେ ତଦନ୍ତକାରୀ କହନ୍ତି: ଘଟନାସ୍ଥଳରୁ ଆମେ ରକ୍ତ ରଞ୍ଜିତ ଲୁଗାପଟା ଏବଂ ମଦ ବୋତଲ ସବୁ ପାଇଛୁ। ଛୁରିଟିଏ ମଧ୍ୟ ମିଳିଛି, କିନ୍ତୁ ଆମେ ଏ ପର୍ଯ୍ୟନ୍ତ ଜାଣି ପାରିନାହୁଁ ଯେ ସେ ଛୁରିଟି ହତ୍ୟା ଏବଂ ଶବ କଟାରେ ବ୍ୟବହୃତ ହୋଇଛି ବୋଲି।

ଦୁଇ ଦିନ ତଳେ ହତ୍ୟାକାଣ୍ଡ ହୋଇଥିବା କଥା ପୁଲିସ ସନ୍ଦେହ କରୁଛି।

ନରହତ୍ୟାର ଘଟନାକ୍ରମ ସ୍ଥିର କରିବା ନିମନ୍ତେ ପୁଲିସ ସେ ରେସ୍ତୋରାଁ-କମ୍‌-ବାର୍‌ ଏବଂ ସେମାନେ ବସବାସ କରୁଥିବା ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର