ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ପୁରୁଷ ବନ୍ଧୁ ହିଁ ହତ୍ୟାକାରୀ!

ଭୁବନେଶ୍ୱର : ସୋମବାର ବିଳମ୍ବିତ ରାତିରେ ଇନ୍‌ଫୋସିଟି ଥାନା ଅଧୀନ କାନନବିହାର ଫେଜ-୨ ଏମ୍‌ଆଇଜି ୫ରେ ଭଡ଼ାରେ ରହୁଥିବା ହସିନା ଦାସ ହତ୍ୟା ଘଟଣାର ପର୍ଦାଫାସ ହୋଇଛି। ହସିନାଙ୍କ ପୁରୁଷ ବନ୍ଧୁ ହିଁ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇ ଯାଇଛି। ଏପରିକି ପୁରୁଷ ବନ୍ଧୁ ଜଣକ ଆଜି ପୁଲିସ ଆଗରେ ସତ ମଧ୍ୟ ମାନି ଯାଇଛନ୍ତି। ପୁଲିସ କେବଳ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ବାକି ରହିଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଯାହା ସୂଚନା ମିଳିଛି ଘଟଣା ଦିନ ରାତିରେ ହିସନାଙ୍କ ପୁରୁଷ ବନ୍ଧୁ ତାଙ୍କ ସହିତ ସେହି ଭଡ଼ା ଘରକୁ ଆସିଥିଲେ। ଦୁହେଁ ରୋଷେଇ କରି ଖିଆପିଆ କରିଥିଲେ। ତେବେ ଗତ କିଛି ଦିନ ହେବ ହସିନାଙ୍କ ଉପରେ ସନ୍ଦେହ ପ୍ରକଟ କରି ଆସୁଥିଲେ ପୁରୁଷ ବନ୍ଧୁ ଜଣକ। ତାଙ୍କର ସନ୍ଦେହ ଥିଲା କି ହସିନା ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଛନ୍ତି ବୋଲି। ଏହାକୁ ନେଇ ସେହି ରାତିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ପରେ ସେହି ପୁରୁଷ ବନ୍ଧୁ ଜଣକ ତାଙ୍କର ଏକାଧିକ ସାଙ୍ଗସାଥୀଙ୍କୁ ଧରି ହସିନାଙ୍କ ଘରେ ପହଞ୍ଚିଥିଲେ। ପରେ ସମସ୍ତେ ମିଶି ଏକ ଧାରୁଆ ଅସ୍ତ୍ରରେ ହସିନାଙ୍କ ବେକକୁ କାଟି ସେଠାରୁ ଚମ୍ପଟ ହୋଇ ଯାଇଥିଲେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ପୁୁରୁଷ ବନ୍ଧୁ ଜଣକ ତାଙ୍କ ସହଯୋଗୀଙ୍କୁ ଆଣିଥିଲେ ନା ଏକା ଏହି ଘଟଣାରେ ସଂପୃକ୍ତ ସେ ନେଇ ପଚରାଉଚରା କରାଯାଉଛି।

ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡକୁ ତିନି ଦିନ ବିତି ଗଲାଣି। ପୁଲିସ ମୃତ ହସିନାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖି ଜେରା ଚଳାଇଛି। କିନ୍ତୁ ଏଯାଏ ପୁଲିସ ହତ୍ୟାକାରୀ କିଏ ତାହା ସ୍ପଷ୍ଟ କରୁନାହିଁ।

ଏଠାରେ ପ୍ରକାଶଥାଉକି, ଯୁବତୀ ଜଣକ ଗତ ୪ ବର୍ଷ ଧରି ସେହି ଘରେ ତାଙ୍କର ଜଣେ ସାଙ୍ଗଙ୍କ ସହିତ ଭଡ଼ାରେ ରହୁଥିଲେ। ତାଙ୍କ ସାଙ୍ଗ ଗାଁକୁ ଚାଲି ଯାଇଥିଲେ। ହାସିନା ଗତକାଲି ଏକୁଟିଆ ଥିଲେ। ରାତି ପ୍ରାୟ ୧୨ଟା ୧୫ବେଳେ ଘର ମାଲିକ ଇନ୍‌ଫୋସିଟି ଥାନା ଓ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ କି, ତାଙ୍କ ଘରେ ଭଡ଼ାରେ ରହୁଥିବା ଯୁବତୀଙ୍କ ଘର କବାଟ ଖୋଲା ଅଛି। ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଚଟାଣ ଗଦିରେ ପଡ଼ିଛି। ଇନ୍‌ଫୋସିଟି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘର ଭିତରେ ଦେଖିବାକୁ ପାଇଥିଲା ଜିନିଷପତ୍ର ଏଣେତେଣେ ବିଚ୍ଛିନ୍ନ ହୋଇ ପଡିଛି। ଯୁବତୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ ୩ ଥର କଟାଯାଇଛି। ପାଟିରୁ ଫେଣ ବାହାରି ପଡ଼ିଛି। ପୁଲିସ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଖବର ପାଇ ଯୁବତୀଙ୍କ ବାପା ଭାରତ ଚରଣ ଦାସ ଭୁବନେଶ୍ୱରରେ ପହଞ୍ଚିଥିଲେ। ଝିଅକୁ ହତ୍ୟା କରାଯାଇଛି ବୋଲି ଭାରତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର