ଲୁଟେରାକୁ ଛେଚି ପୁଲିସରେ ଦେଲେ

ଭୁବନେଶ୍ବର: ଜଣେ ରେଳଯାତ୍ରୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟ୍‌ପାଟ କରିବା ଯୁବକଙ୍କୁ ଯାତ୍ରୀମାନେ କାବୁ କରି ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି। ପୁଲିସ ତାକୁ ଗିରଫ କରିବା ସହ ତାଠାରୁ ଗୋଟିଏ ମୋବାଇଲ୍‌ ଫୋନ୍‌, ୫ରୁ ଊର୍ଧ୍ବ ସିସିଟିଭି ଏବଂ ସାଢ଼େ ୪ ହଜାର ଟଙ୍କା ଜବତ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ନାରାୟଣ ମହାନ୍ତି ଓରଫ ନାରଣ ଜେନା(୨୮)। ଏଠାରେ ୟୁନିଟ୍‌-୯ ଖାଲସାହି ବସ୍ତିରେ ରୁହେ। ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ବିନୟ ସିଂ ନାମକ ଜଣେ ଯୁବକ ଭୁବନେଶ୍ବର ରେଳଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ତେବେ ସେ ଶୋଇପଡ଼ିଥିବା ସମୟରେ ନାରାୟଣ ତାଙ୍କ ସିସିଟିଭି ଓ ଟଙ୍କା ନେଇଯାଇଥିଲା। ହେଲେ‌ ବିନୟଙ୍କ ମୋବାଇଲ୍‌ ଫୋନ୍‌ ନେବା ସମୟରେ ସେ ଉଠିପଡ଼ି ପାଟି କରିଥିଲେ। ପାଟି ଶୁଣି ଆଖପାଖରେ ଥିବା ଯାତ୍ରୀମାନେ‌ ଷ୍ଟେସନ୍‌ରେ ଗୋଡ଼ାଇ ଗୋଡ଼ାଇ ଲୁଟେରା କାବୁ କରିଥିଲେ। ପୁଲିସ ତାଠାରୁ ସମସ୍ତ ଜିନିଷ ଜବତ କରି ବିନୟଙ୍କୁ ଜିମା ଦେଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର