ୟୁପିରେ ଦୁର୍ବୃତ୍ତଙ୍କ ବର୍ବର କାଣ୍ଡ: ୩ ମୌଲବୀଙ୍କୁ ଟ୍ରେନ୍‌ରୁ ଫିଙ୍ଗିଦେଲେ

ବାଗପତ: ଉତ୍ତର ପ୍ରଦେଶରେ ପୁଣି ଥରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ବୁଧବାର ରାତିରେ ଦିଲ୍ଲୀରୁ ବାଗପତ ଫେରୁଥିବା ୩ଜଣ ମଦ୍ରାସା ଶିକ୍ଷକ(ମୌଲବୀ)ଙ୍କୁ କିଛି ଅଜ୍ଞାତ ଯୁବକ ନିସ୍ତୁକ ମାଡ଼ ମାରିବା ସହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ଏହି ମୌଲବୀଙ୍କୁ ନିକଟସ୍ଥ ଗ୍ରାମର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ମୁଣ୍ଡରେ ସ୍କାର୍ପ୍‌ର୍ ବାନ୍ଧିବାକୁ ବିରୋଧ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।। ଏହି ମାମଲାରେ ପୁଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ମିଳିଥିବା ଖବର ମୁତାବକ, ଦିଲ୍ଲୀର ଏକ ମସ୍‌ଜିଦ୍‌ରୁ ପ୍ରାର୍ଥନା ସାରି ବାଗପତ ଜିଲ୍ଲାର ୩ ଜଣ ମୌଲବୀ ଏକ ପାସେଞ୍ଜର ଟ୍ରେନ୍‌ରେ ଫେରୁଥିଲେ । ସେହି ବଗିରେ ଯାତ୍ରା କରୁଥିବା କିଛି ଅସାମାଜିକ ଯୁବକ ସେମାନଙ୍କୁ ପ୍ରଥମେ ଗାଳିଗୁଲଜ କରିଥିଲେ ଏବଂ ପିନ୍ଧିଥିବା ସ୍କାର୍ପ ଓହ୍ଲାଇବାକୁ ବାଧ୍ୟ କରିଥିଲେ। ରାତି ପ୍ରାୟ ୧୧ଟା ବେଳେ ସେମାନେ ୩ ମୌଲବୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବଳପୂର୍ବକ ଉଠାଇ ବାହାରକୁ ଫୋପାଡ଼ି ଦେଇଥିଲେ। ବଡ଼ା ରେଳଷ୍ଟେସନ ନିକଟରେ ୩ ମୌଲବୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ନିକଟସ୍ଥ ଗ୍ରାମବାସୀ ମୌଲବୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପୁଲିସକୁ ଖବର ଦେଇଥିଲେ। ସ୍ମରଣଯୋଗ୍ୟ, ଗତ ଜୁନ ମାସରେ ଦିଲ୍ଲୀରେ ଏକ ମୁସ୍‌ଲିମ୍‌ ପରିବାର ଉପରେ ଚଳନ୍ତା ଟ୍ରେନ୍‌ରେ ଆକ୍ରମଣ ହୋଇଥିଲା। ସେମାନେ ଗୋମାଂସ ଖାଉଥିବା ଅଭିଯୋଗ କରି ଆକ୍ରମଣ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ପରିବାରର ୧୬ ବର୍ଷୀୟ ବାଳକ ଜୁନେଦ୍‌ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର