ବ୍ରାଉନ ସୁଗାର ବେପାରୀ ଗିରଫ

୧୦ ଗ୍ରାମ ବ୍ରଉନସୁଗାର ଜବତ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ସ୍ପେସାଲ ଟାସ୍କ୍‌ଫୋର୍ସ ନିଶା କାରବାର ଅଭିଯୋଗରେ ମା’ ଓ ପୁଅକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ ହୋଇଥିବା ମା’ ପୁଅ ହେଲେ କଳ୍ପନା ପାଲ ଓ ସଞ୍ଜିତ ପାଲ। ଘର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦିପଡ଼ିଆ ବସ୍ତିରେ। ସେମାନେ ଦୀର୍ଘ ଦିନ ହେବ ହଳଦୀପଡ଼ିଆ ବସ୍ତିରେ ରହୁଥିଲେ। ମା’ ଓ ପୁଅକୁ ସ୍ପେସାଲ ଟାସ୍କ୍‌ଫୋର୍ସ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ମା’ ପୁଅ ଦୀର୍ଘ ଦିନ ହେଲା ହଳଦୀପଡ଼ିଆ ବସ୍ତିରେ ବ୍ରାଉନସୁଗାର ବେପାର ଚଳାଉଥିଲେ। ଏନେଇ ଏସଟିଏଫ ପାଖରେ ସୂଚନା ଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ନଥିବାରୁ ପୁଲିସ ସେମାନଙ୍କୁ ଗିରଫ କରି ପାରୁନଥିଲା। ଗତକାଲି କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଅଚାନକ କଳ୍ପନାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ଫଳରେ କଳ୍ପନା ଓ ସଞ୍ଜିତ ବ୍ରାଉନସୁଗାର ଲୁଚାଇବାକୁ ସକ୍ଷମ ହୋଇ ନଥିଲେ। ଏସଟିଏଫ ସେମାନଙ୍କ ନିକଟରେ ଥିବା ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଏନେଇ ଏସଟିଏଫ ସେହି ବସ୍ତିର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଆଗାମୀ ଦିନରେ ଆହୁରି ବ୍ରାଉନସୁଗାର ଜବତ କରାଯିବ ବୋଲି ଏସଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ହଳଦିପଡ଼ିଆରେ ବ୍ରାଉନସୁଗାର କାରବାର କରୁଥିବା କେତେକ ନିଶା ମାଫିଆଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଏକ ସପ୍ତାହ ତଳେ କଟକର ଅବକାରୀ ବିଭାଗ ପୁଲିସ ହଳଦିପଡ଼ିଆ ବସ୍ତିରେ ଚଢ଼ଉ କରି ଫିରୋଜା ବିବି ନାମକ ଜଣେ ମହିଳାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ମଧ୍ୟ ୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା।

ସମ୍ବନ୍ଧିତ ଖବର