ଗଞ୍ଜେଇ ବେପାରୀକୁ ୧୦ ବର୍ଷ ଜେଲ୍‌

ଭୁବନେଶ୍ୱର: ୫ ବସ୍ତା ଗଞ୍ଜେଇ ସହ ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେସନ୍‌ରୁ ଧରା ପଡ଼ିଥିବା ବେପାରୀ ସତ୍ୟବାଦୀ ଥାନା ଅଧୀନ ଭୁତୁପଡ଼ାର ବନମାଳି ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ -୩ ଅରୁଣ କୁମାର ମଲ୍ଲିକ ଆଜି ଏହି ଦଣ୍ଡାଦେଶ କରିବା ସହ ୧ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଜରିମାନା ଅନାଦେୟ ଜେଲ୍‌ଦଣ୍ଡ ଅବଧି ୬ମାସ ବଢ଼ାଇବା ପାଇଁ ଆଦେଶ ଦିଆଯାଇଛି। ୪ ଜଣ ସାକ୍ଷୀଙ୍କ ବୟାନ ଓ ୨୯ ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଦୀପ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ସରୋଜ ଦାସ, ମନୋଜ ଦାସ ଓ ବିବେକାନନ୍ଦ ପଟ୍ଟନାୟକ ସହଯୋଗ କରିଛନ୍ତି। ସୂଚନା ମୁତାବକ, ୨୦୧୬ ମସିହା ଏପ୍ରିଲ ୩ ତାରିଖ ଦିନ ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେସନ୍‌ର ୭ ନମ୍ବର ପ୍ଲାଟଫର୍ମରେ ବନମାଳି ଛିଡ଼ା ହୋଇଥିଲେ। ତାଙ୍କ ପାଖରେ ୫ଟି ବସ୍ତା ରହିଥିଲା। ତାଙ୍କୁ ଦେଖି ସନ୍ଦେହ ହେବାରୁ କେତେକ ଅବକାରୀ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଭୁବନେଶ୍ବର ଅବକାରୀ ବିଭାଗ ଅଧିକାରୀମାନେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଏହି ୫ ବସ୍ତାରୁ ୬୯ କେଜି ଗଞ୍ଜେଇ ବାହାରିଥିଲା। ଏହାକୁ ଜବତ କରିବା ସହ ଅବକାରୀ ବିଭାଗ ବନମାଳିକୁ ଗିରଫ କରିଥିଲା। ତଦନ୍ତରୁ ଜଣାଯାଇଥିଲା ଯେ ସେ ଏହାକୁ ପୁରୀ ନେଇ ବେପାର କରିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିଲା। ପୂର୍ବରୁ ଏଭଳି ଅନେକ ଗଞ୍ଜେଇ ନେଇ ସେ ପୁରୀରେ ବିକ୍ରି କରିଥିବା ମାନିଥିଲା। ଗିରଫ ପରେ ତାକୁ ଜାମିନ୍‌ ମିଳିନଥିଲା। ଫଳରେ ୩ ବର୍ଷ ଧରି ସେ ଝାରପଡ଼ା ଜେଲ୍‌ରେ ରହୁଛି।

ସମ୍ବନ୍ଧିତ ଖବର