ଗଣମୃତ୍ୟ ମାମଲା: ଆତ୍ମହତ୍ୟା ପୂର୍ବରୁ ଚକ୍ଷୁ ଦାନ କରି ଯାଇଛନ୍ତି ପରିବାର ଲୋକ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବରାଡ଼ିର ଏକ ଘରୁ ସନ୍ଦେହଜନକ ଭାବେ ୧୧ ଜଣକ ମୃତଦେହ ମିଳିବା ପରେ ସେହି ଘଟଣାର ତଦନ୍ତ ଜାରି ରହିଛି। ଘଟଣା ସଂପର୍କିତ ଅନେକ ଚାଞ୍ଚଲ୍ୟକର ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ଏବେ ଜାଣିବାକୁ ମିଳିଛି ଯେ ମୃତକମାନେ ତାଙ୍କର ଚକ୍ଷୁ ଦାନ କରିବା ପରେ ଆତ୍ମହତ୍ୟା କରିଛନ୍ତି। ବ୍ୟଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେମାନଙ୍କୁ ଆଦୌ ବଳପୂର୍ବକ ଭାବେ ହତ୍ୟା କରାଯାଇ ନାହିଁ। ସେମାନେ ନିଜର ଆଖି ଦାନ କରିବା ପରେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣେ ପାରିବାରିକ ବନ୍ଧୁଙ୍କ ନିକଟରୁ ଜାଣିବାକୁ ମିଳିଛି।

ସେମାନେ ଖୁବ୍‌ ଧାର୍ମିକ  ଥିଲେ। ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛା ରଖୁଥିଲେ ବୋଲି ଉକ୍ତ ପାରିବାରିକ ବନ୍ଧୁ ଜଣକ ଜଣାଇଛନ୍ତି। ଯାହା ବି ହେଉ, ମିଳିଥିବା ଏକ ହାତଲେଖା ଦେଖିବା ପରେ ଏକରକମର ସ୍ପଷ୍ଟ ହୋଇଛି ଯେ ସେମାନେ କୌଣସି ଧାର୍ମିକ ବିଶ୍ୱାସରେ ଆସି ଏପରି ପ୍ରାଣ ତ୍ୟାଗିବାର ନିଷ୍ପତ୍ତି ନେଇଛନ୍ତି। କାହିଁକି ନା, ସେମାନଙ୍କ ଘରେ ଥିବା ଏକ ଡାଏରିରୁ ସେପରି କିଛି ଦେଖିବାକୁ ମିଳିଛି। ସେମାନେ ଯେଉଁ ଭଳି ଭାବେ ଆତ୍ମହତ୍ୟା କରିଛନ୍ତି ତାହା ସେ ଡାଏରିରେ ଲେଖା ହୋଇଥିବା ସୂଚନା ହସ୍ତଗତ ହୋଇଛି।

ଉଲ୍ଲେଖଯୋଗ୍ୟ, ରବିବାର ସକାଳ ସମୟରେ ହଠାତ ଉତ୍ତର ଦିଲ୍ଲୀର ବୁରାଡ଼ି ଅଞ୍ଚଳର ଏକ ଘର ମଧ୍ୟରୁ ୧୧ ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ମୃତକ ୧୧ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ। ସେଥିରେ କେତେ ଜଣ ପିଲାଙ୍କ ମୃତଶରୀର ବି ଦେଖିବାକୁ ମିଳିଥିଲା। ପଡ଼ୋଶୀମାନେ ଘଟଣା ସଂପର୍କରେ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

 

ସମ୍ବନ୍ଧିତ ଖବର