ଜୁଆ ଆଡ଼ାରେ ଅତର୍କିତ ଚଢ଼ଉ : ୧୨ ଜୁଆଡ଼ି ଗିରଫ

ଲକ୍ଷାଧିକ ଟଙ୍କା, ୫ ବାଇକ୍‌ ଓ ୧୬ ମୋବାଇଲ ଜବତ

ବାଲିଅନ୍ତା : ବାଲିଅନ୍ତା ଥାନା ଓ ପାହାଳ ଫାଣ୍ଡି ପୁଲିସ ମିଳିତ ଭାବେ ଆଜି ସଂଧ୍ୟା ପ୍ରାୟ ୮ଟାରେ ପାହଳ ଫାଣ୍ଡି ସୀମା ପରିସରଭୁକ୍ତ ରୁଦ୍ରପୁରଗଡ଼ା ନିକଟରେ ଏକ ଜୁଆ ଆଡ଼ାରେ ଅତର୍କିତ ଚଢ଼ଉ କରି ଘଟଣାସ୍ଥଳରୁ ୧୨ ଜୁଆଡ଼ିଙ୍କୁ ଗିରଫ କରିଛି । ଏ ନେଇ ବାଲିଅନ୍ତା ଥାନାରେ କେସ୍‌ ନଂ ୩୩୪/୧୭ରେ ଏକ ମାମଲା ରୁଜୁ ହୋଇଛି । ଜିରଫ ଜୁଆଡ଼ିମାନେ ହେଲେ ବିକାଶ ଧଳ, ଟୁଟୁ ସୁବୁଦ୍ଧି, ଜିତେନ୍ଦ୍ର ହେମ୍ବ୍ରମ୍‌, ରଂଜନ କୁମାର ସ୍ୱାଇଁ, ଗଣେଶ ଭୋଳ ଓରଫ ତପ, ଆରୋନ ରାଉତରାୟ, ବସନ୍ତ କୁମାର ସିଂହ, ରାକେଶ ସାହୁ, ଶିବ ପାତ୍ର, ରାଜୀବ କୁମାର ପ୍ରଧାନ, ରାକେଶ ପ୍ରଧାନ ଓ ଏସ୍‌ ଜୟଦେବ ରାଓ । ଏଥିସହିତ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ୧୬ଟି ମୋବାଇଲ ଫୋନ୍‌ ଓ ୫ଟି ବାଇକ୍‌କୁ ମଧ୍ୟ ଜବତ କରିଛି । ସେଠାରୁ ଜୁଆପାଲି , ଚାଷ ଗ୍ଲାସ ଓ ଗୋଟି ମଧ୍ୟ ଜବତ କରିଛି । ପୁଲିସ ଏହି ଜୁଆଡ଼ିମାନଙ୍କୁ ଥାନାରେ ଅଟକ ରଖି ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ଅନ୍ୟ ପକ୍ଷରେ ପୁଲିସ ଚଢ଼ଉ ବେଳେ କେତେଜଣ ଜୁଆଡ଼ି ମଧ୍ୟ ଦୌଡ଼ି ଖସି ପଳାଇଥିବା ଜଣେ ପୁଲିସ କର୍ମଚାରୀ ସୂଚନା ଦେଇଛନ୍ତି। ଆସନ୍ତକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ପ୍ରାପ୍ତ ସୂଚନାନୁଯାୟୀ ପାହାଳଫାଣ୍ଡି ଅଞ୍ଚଳରେ ଦୀର୍ଘଦିନ ହେଲା ସଂଧ୍ୟାରୁ ରାତିତମାମ ଜୁଆଖେଳ ଚାଲିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଗତ କିଛି ମାସ ହେବ ଉଭୟ ଭୁବନେଶ୍ୱର ଓ କଟକ କମିସନରେଟ୍‌ ଅଞ୍ଚଳର ଜୁଆଡ଼ିମାନେ ଏଠାରେ ବେଧଡ଼କ ଭାବେ ଆସର ଜମାଇଥିଲେ । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଏସିପି ଶୁଭେନ୍ଦୁ ସିହ୍ନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ ଦାଶ ଓ ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ପ୍ରମୁଖ ଏଠାରେ ଅତର୍କିତ ଚଢ଼ଉ କରି ଜୁଆଡ଼ିମାନଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର