‘ମୋ ପୁଅକୁ ବଞ୍ଚାଅ’ ବୋଲି ବିକଳ ଚିତ୍କାର କରୁଥିଲା ମା’; ବହୁ ଲୋକଙ୍କ ଉପସ୍ଥିତିରେ ସୁଇମିଙ୍ଗ ପୁଲ୍‌ରେ ଚାଲିଗଲା ନାବାଳକର ଜୀବନ

ସୁରଟ୍‌ : ଗୁଜୁରାଟର ସୁରଟ୍‌ରେ ଥିବା କପାଡ଼ିଆ ହେଲଥ୍‌ କ୍ଲବ୍‌ରେ ବୁଧବାର ସନ୍ଧ୍ୟାରେ ସର୍ବସମ୍ମୁଖରେ ଚାଲିଗଲା ଗୋଟେ ନିରୀହ ପିଲାର ଜୀବନ । ପହଁରା ଶିଖିବା ପାଇଁ ଯାଇଥିବା ବେଳେ ସୁଇମିଙ୍ଗ ପୁଲ୍‌ ମଝିରେ ବୁଡ଼ି ଯାଇଥିଲେ ନାବାଳକ । ଏହା ଦେଖି ନାବାଳକଙ୍କ ମା’ ମୋ ପୁଅକୁ ବଞ୍ଚାଅ ବୋଲି ପାଟି କରିଥିବା ବେଳେ ସେଠାରେ ପହଁରା ଶିଖାଇବା ପାଇଁ ଥିବା ୬ଜଣ ଶିକ୍ଷକ ମୁକ ଦର୍ଶକ ସାଜିଥିଲେ । ସୁଇମିଙ୍ଗ ପୁଲ ଚାରି ପାଖରେ ପ୍ରାୟ ୪୫ଲୋକ ଉପସ୍ଥିତ ଥିବା ବେଳେ କେହି ବି ନାବାଳକଙ୍କୁ ଯାଇ ବଞ୍ଚାଇ ନଥିଲେ । ଯାହା ଫଳରେ କିଛି ସମୟ ଭିତରେ ନାବାଳକଙ୍କ ସଲିଲ ସମାଧି ହୋଇଥିଲା । ମୃତକ ଜଣଙ୍କ ୧୫ ଦିନ ହେବା ପହଁରା ଶିଖିବା ପାଇଁ ଆସୁଥିବା ବେଳେ ବୁଧବାର ସନ୍ଧ୍ୟା ୫.୪୫ରେ ଏହି ଘଟଣା ଘଟିଥିଲା ।

Times of India

ମୃତ ହର୍ଷ ପାଣିରେ ବୁଡ଼ି ଯାଇଥିବା କେହି ଜାଣି ପାରି ନ ଥିବା ବେଳେ ତାଙ୍କ ମା’ ପାଟି କରିବା ପରେ ସମସ୍ତେ ଏ ବିଷୟରେ ଜାଣିଥିଲେ ବୋଲି କ୍ଲବ୍‌ ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ସୁରଟ୍‌ରେ ଥିବା ଶ୍ରୀ ଶ୍ରୀ ରବିଶଙ୍କର ମହାରାଜା ସ୍କୁଲରେ ହର୍ଷ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । ହର୍ଷଙ୍କ ପହଁରିବାରେ ରୁଚି ଥିବାରୁ କିଛି ଦିନ ତଳେ ତାଙ୍କର କପାଡ଼ିଆ ହେଲଥ୍‌ କ୍ଲବ୍‌ରେ ନାମ ଲେଖା ଯାଇଥିଲା । ସବୁ ବେଳେ ହର୍ଷ ନିଜ ବାପାଙ୍କ ସହ ସୁଇମିଙ୍ଗ କ୍ଲାସ୍‌କୁ ଯାଉଥିବା ବେଳେ ବୁଧବାର ପ୍ରଥମ ଥର ପାଇଁ ନିଜ ମା’ଙ୍କ ସହ ସୁଇମିଙ୍ଗ୍‌ ପୁଲ ଯାଇଥିଲେ । ହର୍ଷ ସୁଇମିଙ୍ଗ ପୁଲ୍‌କୁ ପହଁରିବା ପାଇଁ ଯାଇଥିବା ବେଳେ ହଠାତ୍‌ ବୁଡ଼ି ଯାଇଥିଲେ । ସେହି ସୁଇମିଙ୍ଗ ପୁଲ୍‌ରେ ଅନ୍ୟ ପିଲାମାନେ ଥାଇ ମଧ୍ୟ ଏ ବିଷୟରେ ଜାଣି ପାରି ନ ଥିଲେ । ପରେ ତାଙ୍କ ମା’ ଏ ବିଷୟରେ ଜାଣିପାରି ପାଟି କରିବାକୁ ଲାଗିଥିଲେ । ହର୍ଷଙ୍କ ମା’ଙ୍କ ପାଟି ଶୁଣି ମଧ୍ୟ କେହି ହର୍ଷଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ନଥିଲେ ବୋଲି ଅଭିଯୋଗ ହୋଇଛି । ଯାହାଫଳରେ କିଛି ସମୟ ପରେ ହର୍ଷଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏ ନେଇ ହର୍ଷଙ୍କ ପରିବାର ପକ୍ଷରୁ କ୍ଲବ୍‌ ବିରୋଧରେ ଏତଲା ଦିଆଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର