ନାବାଳିକା ଭଉଣୀ ଗଣଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ପାଇଁ ଗାଁ ଲୋକଙ୍କ ସହାୟତା ମାଗିଥିଲା ଭାଇ,୮୦ହଜାର ଟଙ୍କା ନେଇ ମାମଲା ରଫାଦଫା କରିବା ପାଇଁ କହିଲା ପଞ୍ଚାୟତ

ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ନାବାଳିକାକୁ ୪ ଜଣ ଯୁବକଙ୍କ ଅତି ନୃସଂଶ ଭାବରେ ଗଣଦୁଷ୍କର୍ମ କରିବା ପରେ ନ୍ୟାୟ ଦେବାକୁ ଯାଇ ପଞ୍ଚାୟତ ନେଇଥିବା ନିଷ୍ପତ୍ତି ଏବେ ଚର୍ଚ୍ଚାରେ । ଗତ ବୁଧବାର ପୀଡ଼ିତା ଗଣଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ଦେବା ପାଇଁ ପଞ୍ଚାୟତରେ ବୈଠକ ବସିଥିଲା । ଯେଉଁଠି ଅଭିଯୁକ୍ତଠାରୁ ୮୦ହଜାର ଟଙ୍କା ନେଇ ମାମଲା ରଫାଦଫା କରିବା ପାଇଁ ପୀଡ଼ିତାଙ୍କ ଭାଇଙ୍କୁ ବାଧ୍ୟ କରାଯାଇଥିଲା । କିନ୍ତୁ ପଞ୍ଚାୟତର ନିଷ୍ପତ୍ତିିରେ ରାଜି ନ ହୋଇ ପୀଡ଼ିତାଙ୍କ ଭାଇ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ୪ଜଣଙ୍କ ମଧ୍ୟରୁ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

indiatimes.com

ସୂଚନା ମୁତାବକ,ବାପ-ମା’ ଛେଉଣ୍ଡ ପୀଡ଼ିତାଙ୍କୁ ଗତ ବୁଧବାର ଅପହରଣ କରି ନେଇ ଏକ ଜନଶୂନ୍ୟ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ ୪ ଜଣ ଅଭିଯୁକ୍ତ । ପୀଡ଼ିତାଙ୍କ ହୋସ ଆସିବା ପରେ ଘରକୁ ଆସି ତାଙ୍କ ଖୁଡ଼ୀକୁ ସବୁ ଘଟଣା ବିଷୟରେ ଜଣାଇବା ପରେ ପୀଡ଼ିତାଙ୍କ ଖୁଡ଼ୀ ଗୁରୁବାର ପୀଡ଼ିତାଙ୍କ ଭାଇକୁ ପୂରା ଘଟଣା କହିଥିଲେ । ସବୁ ଜାଣି ଗାଁ ଲୋକଙ୍କ ସାହାଯ୍ୟ ମାଗିବା ପରେ ମାମଲା ରଫାଦଫା ପାଇଁ ୮୦ହଜାର ଟଙ୍କା ଦେବାକୁ ସ୍ଥିର କରିଥିଲେ ପଞ୍ଚାୟତ । କିନ୍ତୁ ପୀଡ଼ିତାଙ୍କ ଭାଇ ଏହି ରାୟରେ ରାଜି ନ ହୋଇ ପୁଲିସରେ ଅଭିଯୋଗ କରିବେ ବୋଲି କହିବାରୁ ତାଙ୍କୁ ଗାଁ ବାହାରକୁ ଛଡ଼ା ଯାଇ ନଥିଲା । କିନ୍ତୁ ବହୁ କଷ୍ଟରେ ସେ ଶନିବାର ଯାଇ ପୁଲିସ ଷ୍ଟେସନରେ ପହଞ୍ଚିବା ସହ ଅଭିଯୋଗ କରିଥିଲେ । ଯାହା ପରେ ଅଭିଯୁକ୍ତ ଲଖନ୍‌, ଲଲିତ କୁମାର ଏବଂ ବିକାଶକୁ ପୁଲିସ ଗିରଫ କରିଥିଲା । ଅନ୍ୟତମ ଅଭିଯୁକ୍ତ ଚେତନ ଘରୁ ଫେରାର ହୋଇଥିବା ବେଳେ ତାକୁ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର