ମାଆ ଓ ଭଉଣୀଙ୍କୁ ମାରିବାକୁ ବ୍ୟାଟ୍‌, ପିଜ୍ଜା କଟର୍‌ ଏବଂ କଇଁଚି ବ୍ୟବହାର କରିଥିଲା ନୋଏଡ଼ା ବାଳକ

ନୋଏଡ଼ା: କ୍ରିକେଟ୍‌ ବ୍ୟାଟ୍‌, କଇଁଚି ଏବଂ ପିଜ୍ଜା କଟର୍‌ ଯୋଗେ ନିଜ ମାଆ ଏବଂ ଭଉଣୀକୁ ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି ୧୫ ବର୍ଷିୟ ନୋଏଡ଼ା ବାଳକ।

ପଲିସ କହିଛି, ବାଳକଟି ପ୍ରଥମେ ଗୋଟିଏ କ୍ରିକେଟ୍‌ ବ୍ୟାଟ୍‌ରେ ତା’ର ମାଆ ଏବଂ ଭଉଣୀକୁ ପିଟିବା ପରେ ତାଙ୍କୁ ମାରିବା ପାଇଁ ଗୋଟାଏ କଇଁଚି ଏବଂ ପିଜ୍ଜା କଟର ବ୍ୟବହାର କରିଥିଲା।

ସୋମବାର ରାତିରେ ୪୨ ବର୍ଷୀୟ ଅଞ୍ଜଳି ଅଗ୍ରଓ୍ଵାଲ୍‌ ଏବଂ ତାଙ୍କର ୧୨ ବର୍ଷୀୟ ଝିଅ କନିକାଙ୍କୁ ସେମାନଙ୍କ ଗ୍ରେଟର୍‌ ନୋଏଡ଼ାସ୍ଥିତ ଆପାର୍ଟମେଣ୍ଟ୍‌ରେ ପିଟାପିଟି କରି ଛୁରି ଭୁଷି ହତ୍ୟା କରାଯାଇଥିଲା। ଘଟଣା ପର ଠାରୁ ବାଳକଟି ନିଖୋଜ ହୋଇ ଯାଇଥିଲା।

ଶୁକ୍ରବାର ରାତିରେ ବାଳକଟିକୁ ବାରାଣସୀରେ ଠାବ କରାଯାଇ ଧରା ଯାଇଥିଲା। ସେ ତା’ର ବାପାଙ୍କ ପାଖକୁ ଫୋନ୍‌ କରୁଥିଲା। ଘରକୁ ଫେରି ସତ ସ୍ୱୀକାର କରିଯିବାକୁ ବାପା ତାକୁ କହିଥିଲେ।

ଦୁଇ ଜଣକୁ ହତ୍ୟା କରିବା ପରେ ବାଳକଟି ନଗଦ ୨ ଲକ୍ଷ ଟଙ୍କା ଏବଂ ମାଆଙ୍କ ଫୋନ୍‌ ନେଇ ପଳାଇ ଯାଇଥିଲା।
ସୋଫାରେ ନ ବସି ଯାଆ ଡାଇନିଙ୍ଗ୍‌ ଟେବୁଲ୍‌ରେ ବସି ପଢ଼ିବୁ ବୋଲି ମାଆ ତାକୁ କହିଥିଲେ। ସେ ଦିନ ପାଠ ପଢ଼ି ନ ଥିବାରୁ ମାଆ ତାକୁ ମାରିଥିଲେ। ଫଳରେ ସେ ଖୁବ୍‌ ରାଗି ଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମାଆ ଏବଂ ଭଉଣୀ ଶୋଇଥିବା ଅବସ୍ଥାରେ ସେ କ୍ରିକେଟ୍‌ ବ୍ୟାଟ୍‌ରେ ସେମାନଙ୍କୁ ପିଟିବା ପରେ କଇଁଚିରେ ଭୁଷି ଥିଲା ବୋଲି ଗୌତମ ବୁଦ୍ଧ ନଗରର ଏସ୍‌ଏସ୍‌ପି ଲଭ୍‌ କୁମାର କହନ୍ତି।

ଶେଷ ଥର ଲାଗି ସୋମବାର ଦିନ ପ୍ରାୟ ୧୧. ୧୫ ସମୟରେ ବାଳକଟି ଘର ଛାଡୁଥିବାର ଦୃଶ୍ୟ ସିସିଟିଭିରେ ଦେଖା ଯାଇଥିଲା।

ରକ୍ତ ଦାଗ ଲାଗିଥିବା ପୋଷାକ ବଦଳାଇବା ପରେ ସେ ଘର ଛାଡ଼ି ଥିଲା। ହତ୍ୟାରେ ବ୍ୟବହୃତ ଅସ୍ତ୍ରଗୁଡ଼ିକ ମଧ୍ୟ ସେ ଘରେ ଛାଡ଼ି ଯାଇଥିଲା।

ଘରୁ ନଗଦ ୨ ଲକ୍ଷ ଟଙ୍କା ଏବଂ ମାଆଙ୍କ ମୋବାଇଲ୍‌ ଫୋନ୍‌ ନେଇ ସେ ରେସିଡେନ୍‌ସିଆଲ୍‌ ସୋସାଇଟି ଗେଟ୍‌ରୁ କାର୍‌ ଭଡ଼ା କରି ନୂଆଦିଲ୍ଲୀ ରେଳଷ୍ଟେସନ୍‌କୁ ଯାଇଥିଲା।

ସେଠାରୁ ସେ ଚଣ୍ଡିଗଡ଼ ଯାଉଥିବା ଏକ ଟ୍ରେନ୍‌ରେ ଚଢ଼ିଥିଲା। ପରେ ଚଣ୍ଡିଗଡ଼ରୁ ସେ ଶିମଲା ଚାଲି ଯାଇଥିଲା। ଶୁକ୍ରବାର ଦିନ ସେ ମୋଗଲ ସରାଇରେ ପହଞ୍ଚି ବାରାଣସୀ ଯାଇଥିଲା। ସେଠାରେ ଇଲେକ୍‌ଟ୍ରୋନିକ୍‌ ସର୍ଭିଲେନ୍‌ସ୍‌ ଯୋଗେ ପୁଲିସ ତାକୁ ଠାବ କରିଥିଲା।

ଗୁରୁବାର ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି ଯେ ମୁଣ୍ଡରେ ଆଘାତ ଯୋଗୁଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଅଞ୍ଜଳିଙ୍କ ମୁଣ୍ଡରେ ୭ଟି ଆଘାତ ଚିହ୍ନ ଥିବାବେଳେ କନିକା ମୁଣ୍ଡରେ ୫ଟି ଆଘାତ ଚିହ୍ନ ଥିଲା।

ବାଳକଟି ମୋବାଇଲ୍‌ ଫୋନ୍‌ରେ ବରାବର କ୍ରାଇମ୍‌-ଗ୍ୟାଙ୍ଗଷ୍ଟର୍‌ ଗେମ୍‌ ଖେଳେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।
ପୁଲିସ କହିବା ଅନୁସାରେ ବାଳକଟି ପଢ଼ାପଢ଼ି ଭାରି ଦୁର୍ବଳ। ସେଥିପାଇଁ ଗାଳି ଶୁଣୁଥିଲା। ଘଟଣା ଦିନ ମଧ୍ୟ ସେ ମଆଙ୍କ ଠାରୁ ଗାଳି ଶୁଣିଥିଲା।

ସମ୍ବନ୍ଧିତ ଖବର