ସୋମଣା ଓ ରାଜସରେ ଆତଙ୍କ: ନିଶା ଔଷଧ ସ୍ପ୍ରେ କରି ଲୁଟ୍‌

ଲକ୍ଷାଧିକ ଟଙ୍କା, ସୁନାଗହଣା ଓ ମୋବାଇଲ ଲୁଟ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ସୋମଣାଶାସନ ପଞ୍ଚାୟତ କୁଦସାହିରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଡକାୟତମାନେ ଗ୍ରାମର ବ୍ରଜରାଜ ନାୟକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ରୁପା ଗହଣା, ନଗଦ ଟଙ୍କା ଓ ଦାମୀ ମୋବାଇଲ ଆଦି ଲୁଟି ନେଇଛନ୍ତି। ଘରେ ସମସ୍ତେ ଶୋଇଥିବାବେଳେ ଏଭଳି ଲୁଟ୍‌ପାଟ ହୋଇଥିଲା। ଲୁଟ୍‌ପାଟ୍‌ କରିବା ପରେ ବାହାରୁ କବାଟ ବନ୍ଦ କରି ଲୁଟେରାମାନେ ଚାଲିଯାଇଥିଲେ। ଏନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। କିନ୍ତୁ ଲୁଟ୍‌ ସାମଗ୍ରୀର କିମ୍ବା ଲୁଟେରାଙ୍କ ସନ୍ଧାନ ପାଇନାହିଁ। ମାସକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଏଭଳି ୨ଟି ବଡ଼ ଧରଣର ଡକାୟତିକୁ ନେଇ ସ୍ଥାନୀୟ ରାଜସ ଓ ସୋମଣାଶାସନ ପଞ୍ଚାୟତରେ ଆତଙ୍କ ଖେଳିଯାଇଛି।

ବ୍ରଜରାଜଙ୍କ ପୁଅ ବିଶ୍ୱରଞ୍ଜନଙ୍କ କହିବା ମୁତାବକ ତାଙ୍କ ବାଡ଼ିପଟ ଘର ଭଙ୍ଗାଯାଇ ଘରକାମ ଚାଲିଛି। ପଦାରେ ରଡ୍‌, ମଟର ଆଦି ପଡ଼ିଥିବାରୁ ସେମାନେ ଆଗପଟ ଘର କବାଟ ଖୋଲି ରାତିରେ ଶୁଅନ୍ତି। ଗୋଟିଏ ଘରେ ବାପା, ବୋଉ ଓ ଆଉ ଏକ ଘରେ ସେ ନିଜେ ଶୁଅନ୍ତି। ଗତକାଲି ରାତି ପ୍ରାୟ ୨ଟା ବେଳେ ଡକାୟତମାନେ ତାଙ୍କ ଦୁଇ ଘରେ ପଶି ସବୁକିଛି ଲୁଟି ନେଇଛନ୍ତି। ତାଙ୍କର ସନ୍ଦେହ ହୋଇଛି ଯେ ଦୁର୍ବୃତ୍ତମାନେ କିଛି ନିଶା ଔଷଧ ସ୍ପ୍ରେ କରି ଏଭଳି ଲୁଟ୍‌ପାଟ କରିଛନ୍ତି। ଘର କାମ ପାଇଁ ଥିବା ନଗଦ ଦେଢ଼ ଲକ୍ଷ ଟଙ୍କା, ପ୍ରାୟ ୭ଭରି ଓଜନର ଗୋଟିଏ ସୁନା ଚେନ୍‌, ୫ଟା ମୁଦି, ଗୋଟିଏ କାନ ପେଣ୍ଡିଫୁଲ ସହ ୨ଟି ଦାମୀ ମୋବାଇଲ, ୩ଟି ପ୍ଲେନ୍‌ ମୋବାଇଲ, ୨ହଳ ରୁପା ପାଉଁଜି ଆଦି ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ବାପା, ମାଙ୍କୁ ଘର ବାହାର ପଟୁ କବାଟ ବନ୍ଦ କରି ଚାଲିଯାଇଥିଲେ। ରାତିରେ ଉଠିବାରୁ ବାହାର ପଟୁ କବାଟ ବନ୍ଦ ହୋଇଥିବା ଜାଣିପାରି ତାଙ୍କ ବାପା, ବୋଉ ପାଟି କରିଥିଲେ। ସମସ୍ତେ ଉଠିବାରୁ ଘରର ଗଡ଼ରେଜ, ଆସବାବପତ୍ର ଫୋପଡ଼ା ଫିଙ୍ଗା ହୋଇ ଲୁଟ୍‌ପାଟ୍‌ ହୋଇଥିବା ଜଣାପଡ଼ିଥିଲା। ଖୋଜାଖୋଜି ପରେ ପାଖ ବିଲରେ ଆଟାଜ୍‌, ଟ୍ରଙ୍କ, ତାଙ୍କ ସାର୍ଟିଫିକେଟ୍‌ ଆଦି ପଡ଼ିଥିବା ଦେଖାଯାଇଥିଲା। ପୁଲିସ୍‌ର ସନ୍ଧାନୀ କୁକୁର ପ୍ରାୟ ୨ଶହ ମିଟର ଯାଇ ପାଖ ଠାକୁରାଣୀଙ୍କ ମନ୍ଦିରଠାରୁ ଫେରିଥିଲା। ଗତ ମାର୍ଚ ମାସ ୧୬ତାରିଖ ରାତିରେ ସମାନ ଢଙ୍ଗରେ ପାଖ ଗାଁର ସାକରିନ୍‌ ଖାଁଙ୍କ ଘରେ ପଶି ତାଙ୍କ ବୃଦ୍ଧା ମା’ ଓ କୁନିକୁନି ଝିଅକୁ ବାହାର ପଟୁ କବାଟ ବନ୍ଦ କରି ଲକ୍ଷଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା, ଲ୍ୟାପଟପ୍‌ ଆଦି ଲୁଟି ନେଇଥିଲେ। ଆଜି ପର୍ଯ୍ୟନ୍ତ ସେ ଚୋରି ଜିନିଷର ପତ୍ତା ମିଳିପାରି ନାହିଁ କି ଚୋର ଧରାପଡ଼ି ନାହାନ୍ତି। କମିସନରେଟ୍‌ ପୁଲିସ୍‌ ତୁରନ୍ତ ଏଭଳି ଡକାୟତଙ୍କୁ ଧରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର