ରେଳଯାତ୍ରୀଙ୍କଠାରୁ ମିଳିଲା ଅଢ଼େଇ କିଲୋ ସୁନା ବିସ୍କୁଟ

ଯୁବକ ଗିରଫ, ର‍୍ୟାକେଟ୍‌ ଠାବ ପାଇଁ ତନାଘନା

ମିଆଁମାରରୁ ଚେନ୍ନାଇ ଚୋରା ଚାଲାଣ ହେଉଥିଲା!

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ ଅଞ୍ଚଳରୁ ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ ଆଜି ଜଣେ ରେଳଯାତ୍ରୀଙ୍କଠାରୁ ୧୫ଟି ସୁନା ବିସ୍କୁଟ୍‌ ଜବତ କରିଛି। ଯାହାର ଓଜନ ପାଖାପାଖି ଅଢ଼େଇ କିଲୋଗ୍ରାମ ଏବଂ ବଜାର ମୂଲ୍ୟ ପ୍ରାୟ ୭୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହା ପଛରେ ଏକ ବଡ଼ ର‍୍ୟାକେଟ୍‌ ରହିଥିବା ସନ୍ଦେହ କରାଯାଉଥିବା ବେଳେ ର‍୍ୟାକେଟ୍‌ ଠାବ ଲାଗି ତନାଘନା ଉଦ୍ୟମ ଆରମ୍ଭ ହୋଇଛି। ଗୁଇନ୍ଦା ନିର୍ଦେଶାଳୟ ସଂପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କାରେ ଏହି ଯାତ୍ରୀଙ୍କ ନାମ ଗୋପନ ରଖାଯାଇଥିବା ବେଳେ ସେ ଚେନ୍ନାଇର ବୋଲି କୁହାଯାଉଛିିି। ପ୍ରାଥମିକ ତଦନ୍ତରୁ ମିଆଁମାରରୁ ଆସିଥିବା ଏହି ସୁନା ବିସ୍କୁଟ୍‌ ଟ୍ରେନ୍‌ ଯୋଗେ ଚେନ୍ନାଇ ଚୋରା ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଗୌହାଟି-ଚେନ୍ନାଇ ଏକ୍ସପ୍ରେସ୍‌ରେ ଜଣେ ଯାତ୍ରୀ ସୁନା ବିସ୍କୁଟ୍‌ ନେଇ ଚେନ୍ନାଇ ଯାଉଥିବା ନେଇ ଗୁଇନ୍ଦା ନିର୍ଦେଶାଳୟ ଖବର ପାଇଥିଲା। ଯାତ୍ରୀ ଜଣଙ୍କ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୫ଟା ସମୟରେ ଚେନ୍ନାଇରେ ପହଞ୍ଚିଥାଆନ୍ତେ। ଆଉ ସେଠାରୁ ସୁନା ବିସ୍କୁଟ୍‌ଗୁଡ଼ିକୁ ବିଭିନ୍ନ ସ୍ଥାନକୁ ପଠା ଯାଇଥାଆନ୍ତା। ସେ ଟ୍ରେନ୍‌ ଯୋଗେ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ଅତିକ୍ରମ କରିବା ଖବର ପାଇବା ପରେ ଯାତ୍ରୀ ଜଣଙ୍କୁ ଧରିବା ପାଇଁ ଗୁଇନ୍ଦା ବିଭାଗର ୩ଟି ଟିମ୍‌ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗୋଟିଏ ଟିମ୍‌ କଟକ ଷ୍ଟେସନ୍‌ରେ ଜଗି ରହିଥିବା ବେଳେ ଅନ୍ୟ ଦୁଇଟି ଟିମ୍‌ ଭୁବନେଶ୍ୱର ଓ ଖୋର୍ଦ୍ଧା ଷ୍ଟେସନ୍‌ରେ ଜଗି ବସିଥିଲା।

ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଯାତ୍ରୀ ଜଣଙ୍କ କଟକ ଷ୍ଟେସନ ଅତିକ୍ରମ କରିବା ପରେ ଯୋଜନା ମୁତାବକ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରୁ ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରିଥିଲା। ଆଉ ଯାଞ୍ଚ ପରେ ତାଙ୍କ ଜୋତା ଓ ଇନର ପକେଟ୍‌ରୁ ୧୫ଟି ସୁନା ବିସ୍କୁଟ୍‌ ଜବତ କରା ଯାଇଥିଲା। ଯେଉଁଥିରେ ମିଆଁମାର ଦେଶର କେତକ ସଂକେତ ରହିଥିଲା। ଗୁଇନ୍ଦା ବିଭାଗ ବିସ୍କୁଟ୍‌ଗୁଡ଼ିକୁ ଜବତ କରିବା ସହ ତାଙ୍କୁ ଗିରଫ କରି ଭୁବନେଶ୍ୱର ସ୍ଥିତ ନିର୍ଦେଶାଳୟକୁ ଆଣିଥିଲା। ଏବେ ସେଠାରେ ତାଙ୍କୁ ଅଟକ ରଖି ର‍୍ୟାକେଟ୍‌ର ଅନ୍ୟ କେଉଁମାନେ ସମ୍ପୃକ୍ତ ତାହା ଜାଣିବାକୁ ପଚରାଉଚରା କରୁଛି। ଏହାଛଡ଼ା ଗୁଇନ୍ଦା ନିର୍ଦେଶାଳୟ ଉକ୍ତ ଯାତ୍ରୀଙ୍କ ମୋବାଇଲକୁ ଜବତ କରି କଲ୍‌ ଡିଟେଲ୍ସ ମଧ୍ୟ ଯାଞ୍ଚ କରୁଛି। ତାଙ୍କୁ କେଉଁମାନେ ଏହି ନମ୍ବରକୁ କଲ୍‌ କରିଥିଲେ? ଏହି ନମ୍ବରୁ କେଉଁ କେଉଁ ନମ୍ବରକୁ କଲ ଯାଇଛି? ଆଦି ବିଭିନ୍ନ ଦିଗ ଉପରେ ଗୁଇନ୍ଦା ନିର୍ଦେଶାଳୟ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର