ମୋବାଇଲ୍‌ ଲୁଟେରାଙ୍କ ଆତଙ୍କ : ଭୁଜାଲିରେ ହାଣି ଲୁଟିଲେ, ୨ ଗିରଫ

ଭୁବନେଶ୍ୱର : କିଛି ଦିନ ହେବ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗ ନୂଆପଲ୍ଲୀ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି। ପ୍ରାଣାନ୍ତକ ଆକ୍ରମଣ କରି ସେମାନେ ଲୋକଙ୍କଠାରୁ ମୋବାଇଲ ଲୁଟୁଛନ୍ତି। ଆଜି ଦିନ ଆଲୁଅରେ ଏପରି ଦୁଇଟି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟ ଆଜି ଜୟଦେବ ବିହାର ନିକଟରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଛନ୍ତି। ଗୁରୁତର ଆହତ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଓ ପରେ ଅଧିକ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାର କିଛି ସମୟ ପରେ ଏକାମ୍ରଭିଲ୍ଲା ଅଞ୍ଚଳରେ ଆଉ ଏକ ଲୁଟ୍‌ ହୋଇଥିଲା। ଜଣେ ମହିଳାଙ୍କୁ ଆକ୍ରମଣ କରି ମୋବାଇଲ ଲୁଟିବା ବେଳେ ଜଣେ ଲୁଟେରା ଧରାପଡ଼ି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ସ୍ଥାନୀୟ ଲୋକେ ତାକୁ ନିର୍ଧୁମ୍‌ ଛେଚି ପୁଲିସ ଜିମା ଦେଇଥିଲେ। ପୁଲିସ ତା’କୁ ଗିରଫ କରିବା ସହ ତାକୁ ପଚରାଉଚରା କରି ଆଉ ଜଣେ ଲୁଟେରାକୁ ରାତିରେ ଗିରଫ କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ସାଢ଼େ ୧୦ଟାରେ ଜୟଦେବବିହାର ଅଞ୍ଚଳରେ ଥିବା ଦାଶରଥୀ ଆପାର୍ଟମେଣ୍ଟ ନିକଟରେ ଜଣେ ବ୍ୟକ୍ତିି ଚାଲି ଚାଲି ଯାଉଥିବା ବେଳେ ବାଇକ୍‌ରେ ଆସି ଜଣେ ଲୁଟେରା ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇବାକୁ ଚେଷ୍ଟା କରିଥିଲା। ତେବେ ବ୍ୟକ୍ତିଜଣଙ୍କ ବିରୋଧ କରିବାରୁ ଲୁଟେରାଜଣଙ୍କ ଅଣ୍ଟାରୁ ଭୁଜାଲି କାଢ଼ି ତାଙ୍କ ମୁଣ୍ଡକୁ ଚୋଟ ମାରିଥିଲା। ଭୁଜାଲି ଚୋଟରେ ଗୁରୁତର ଆହତ ହୋଇ ବ୍ୟକ୍ତିଜଣଙ୍କ ରାସ୍ତାରେ ପଡ଼ି ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ଅପରପକ୍ଷେ ସ୍ଥାନୀୟ ଲୋକେ ଲୁଟେରାକୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଘଟଣାସ୍ଥଳରୁ ଖସି ପଳାଇଥିଲା। ପୁଲିସ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ଏହି ଘଟଣାର କିଛି ସମୟ ପରେ ଏକାମ୍ରଭିଲ୍ଲା ଅଞ୍ଚଳରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଜଣେ ଲୁଟେରା ତାଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରି ପଳାଉଥିଲା। ତେବେ ସେଠାରେ ଥିବା ଅନ୍ୟ ଜଣେ ମହିଳା ତାକୁ କାବୁ କରି ନେଇଥିଲେ। ସ୍ଥାନୀୟ ଲୋକେ ତାକୁ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ପୁଲିସ ତାକୁ ଗିରଫ କରିଥିଲା। ଥାନାରେ ପଚରାଉଚରା ପରେ ସେମାନେ ଏକାଧିକ ମୋବାଇଲ୍‌ ଲୁଟ୍‌ପାଟରେ ସାମିଲ ଥିବା ମାନିଥିଲା। ତେବେ ବିଳମ୍ବିତ ରାତିରେ ପୁଲିସ ଗ୍ୟାଙ୍ଗର ଆଉ ଜଣେ ଲୁଟେରାକୁ ଗିରଫ କରିଥିବା ଜଣଯାଇଛି।

ସମ୍ବନ୍ଧିତ ଖବର