ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ : ବିଚ୍‌ ରାସ୍ତାରେ ଦୁଇ ଯୁବତୀଙ୍କୁ ଅସଦାଚରଣ, ୨ ଯୁବକ ଗିରଫ, ବାଇକ୍‌ ଜବତ

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ଏୟାର୍‌ଫିଲ୍ଡ ଥାନା ଅଧୀନ ଚମ୍ପତ୍ତି ଫେଟ୍ରୋଲପମ୍ପ ନିକଟରେ ଦୁଇ ଜଣ ଯୁବତୀଙ୍କୁ ଅସଦାଚରଣ ହୋଇଛି। ପୁଲିସ ଏହି ଘଟଣାରେ ୨ ଯୁବକଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି। ସେମାନେ ହେଲେ ସୁନ୍ଦରପଦା ଅଞ୍ଚଳର ଜିତେନ୍ଦ୍ର ଭୋଇ ଓ ରଞ୍ଜନ କିଶୋର ବେହେରା।

ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଯୁବତୀ ଦ୍ୱୟ ସୁନ୍ଦରପଦାରୁ ଟ୍ୟୁସନ୍‌ ସାରି ବୋତଣ୍ଡା ଫେରୁଥିଲେ। ତେବେ ଦୀର୍ଘ ଦିନ ହେବ ଯୁବତୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଜିତେନ୍ଦ୍ର ଓ ରଞ୍ଜନ ସୁଯୋଗକୁ ଅପେକ୍ଷା କରିଥିଲେ। ଆଜି ଯୁବତୀ ଦ୍ୱୟ ଟ୍ୟୁସନ୍‌ରୁ ଫେରିବା ସମୟରେ ଉଭୟ ତାଙ୍କ ପିଛା କରିଥିଲେ। ସେମାନେ ଚମ୍ପତ୍ତି ପେଟ୍ରୋଲପମ୍ପ ନିକଟ ଏକ ଅନ୍ଧାରିଆ ରାସ୍ତାରେ ଯାଉଥିବା ସମୟରେ ଜିତେନ୍ଦ୍ର ଓ ରଞ୍ଜନ ହଠାତ୍‌ ସେମାନଙ୍କ ଆଗକୁ ଆସି ଗାଡ଼ି ରଖିଥିଲେ। ଯୁବତୀ ଦ୍ୱୟ ଅଟକିବା ପରେ ଜିତେନ୍ଦ୍ର ଓ ରଞ୍ଜନ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଯୁବତୀ ଦ୍ୱୟ ପାଟିକରିବାରୁ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯୁବତୀ ଦ୍ୱୟ ଜୀବନବିକଳରେ ସେଠାରୁ ଘରକୁ ଆସି ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଜିତେନ୍ଦ୍ର ଓ ରଞ୍ଜନକୁ ଗିରଫ କରିଥିଲା। ପୁଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର