୨ ଗଞ୍ଜେଇ ବ୍ୟବସାୟୀ ଗିରଫ

ଭୁବନେଶ୍ୱର : କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ୨ଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨୧ କେଜି ଗଞ୍ଜେଇ ଓ ଗୋଟିଏ ବାଇକ୍‌ ଜବତ କରିଛି। ସେମାନେ ହେଲେ କଟକ ଜିଲ୍ଲା କେନ୍ଦୁପଲ୍ଲୀ ଅଞ୍ଚଳର ସପନା ସହୁ ଓରଫ ସପନା(୨୨) ଓ ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ସାନୁ ପ୍ରଧାନ(୨୧)। ଏଠାରେ ଉଭୟ ସାଲିଆସାହିରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣ ସାଢ଼େ ଗୋଟାଏ ବେଳେ ସପନା ଓ ସାନୁ ହାତିଆଶୁଣୀ ଛକ ନିକଟରେ ଏକ ଜରିବସ୍ତାରେ ଗଞ୍ଜେଇ ନେଇ ଯାଉଥିଲେ। ତେବେ ଆଗରେ ଥିବା ଏକ ପୁଲିସ ଗାଡ଼ିକୁ ଦେଖି ଉଭୟ ଏପଟସେପଟ ହୋଇଥିଲେ। ଉଭୟଙ୍କ ବ୍ୟବହାରରେ ପୁଲିସ ସନ୍ଦେହ କରି ସେମାନଙ୍କ ପାଖକୁ ଯାଇଥିଲା। ତେବେ ପୁଲିସ ସେମାନଙ୍କ ନିକଟକୁ ଆସୁଥିବା ଦେଖି ଉଭୟ ବାଇକ୍‌ ଓ ଜରି ବସ୍ତା ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ପିଛା କରି କାବୁ କରିଥିଲା। ଜରିବସ୍ତା ଖୋଲିବାରୁ ସେଥିରୁ ଗଞ୍ଜେଇ ବାହାରିଥିଲା। ପୁଲିସ ଉଭୟଙ୍କୁ ନୂଆପଲ୍ଲୀ ଥାନାକୁ ନେବା ସହ ବାଇକ୍‌ ଓ ଗଞ୍ଜେଇ ଜିମା ଦେଇଥିଲା। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଉଭୟ ସପନା ଓ ସାନୁକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର