ୟୁପିର ଏକ ହୋଟେଲ୍‌ ରୁମ୍‌ରେ ଯୁବତୀଙ୍କୁ ୨ ପୁଲିସ୍‌ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁର ରେଳବାଇ ଷ୍ଟେସନ୍‌ ନିକଟରେ ଥିବା ‌ଏକ ହୋଟେଲ୍‌ ରୁମ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦୁଇ ଜଣ ପୁଲିସ୍‌ ମିଶି ଜଣେ ୨୦ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଗୁରୁବାରର। ପୀଡ଼ିତା ମହିଳା ନିଜ ପରିବାରରେ ଘଟଣା ସଂପର୍କରେ କହିବା ପରେ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ଶୁକ୍ରବାର ପୁଲିସ୍‌ ମହିଳାଙ୍କ ବୟାନକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଗୋରଖନାଥ ପୁଲିସ୍‌ ଷ୍ଟେସନ୍‌ରେ ଦୁଇ ଜଣ ଅଜଣା ପୁଲିସ୍‌ କର୍ମୀଙ୍କ ନାମରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଏଯାବତ୍‌ କାହାକୁ ଗିରଫ କରାଯାଇ ନାହିଁ। କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସ୍‌ପି ଏବଂ ପୂର୍ବାଚଳ ସେନା ଆଦି ରାଜନୈତିକ ଦଳର ସଦସ୍ୟମାନେ ଗୋରଖନାଥ ପୁଲିସ୍‌ ଷ୍ଟେସନ୍‌ର ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି।

ପୀଡ଼ିତା ଯୁବତୀ ଜଣକ ଜିଲ୍ଲା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜାଣିବାକୁ ମିଳିଛି। ଦୁଇ ଜଣ ପୁଲିସ୍‌ ତାଙ୍କୁ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତରୁ ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ ଯେଉଁ ହୋଟେଲ୍‌ରେ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆଣିଛନ୍ତି ସେଠାରେ ସିସିଟିଭି କ୍ୟାମେରା ଲାଗିଥିଲା। ସିସିଟିଭି ଫୁଟେଜ୍‌ ଆମକୁ ମିଳିଛି ବୋଲି ‌ଗୋରଖ୍‌ପୁର ଏସ୍‌ଏସ୍‌ପି ସୁନିଲ କୁମାର ଗୁପ୍ତା କହିଛନ୍ତି। ମହିଳା ଏକ କୋଚିଂ ସେଣ୍ଟର୍‌ ଚଳାନ୍ତି ଓ ତାଙ୍କ ବାପା ଜଣେ ମଜୁରିଆ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର