ଗଞ୍ଜେଇ ବେପାର, ୨ ଅଟକ

ଖଣ୍ଡଗିରି: ଗଞ୍ଜାମରୁ ରାଜଧାନୀକୁ ବସ୍‌ରେ ଗଞ୍ଜେଇ ଚାଲାଣ କରୁଥିବା ୨ଜଣ ମହିଳାଙ୍କୁ ଖଣ୍ଡଗିରି ଥାନା ପୁଲିସ ଅଟକ ରଖିଛି। ୨ଟି ବ୍ୟାଗ୍‌ରୁ ଜବତ ଗଞ୍ଜେଇର ଆନୁମାନିକ ଓଜନ ପ୍ରାୟ ୧୦ କେଜି ହେବ ବୋଲି କୁହାଯାଉଛି। ସୂଚନାନୁସାରେ ବାବା ବାଲୁଙ୍କେଶ୍ବର ବସ୍‌ଟି ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଆଇଗିଣିଆ ଛକରେ ପହଞ୍ଚିଥିଲା। କିଛି ଯାତ୍ରୀ ଓହ୍ଲାଇବା ପରେ ବସ୍‌ଟି ବରମୁଣ୍ଡା ଅଭିମୁଖେ ଯାଇଥିଲା। ବସ୍‌ ଗଡ଼ିବା ପରେ ପରେ ଦୁଇ ଜଣ ମହିଳା ବସ୍‌ ରଖିବାକୁ କଣ୍ଡକ୍ଟର କେଶବ ସ୍ବାଇଁଙ୍କୁ କହିଲେ। କିନ୍ତୁ କେଶବ ମନା କରିବାରୁ ପାଖକୁ ଲାଗି ଆସି ଜଣେ ମହିଳା ପାଟିତୁଣ୍ଡ କରିବା ସହ ହଠାତ୍ ଏକ ବ୍ଲେଡ୍‌ରେ କେଶବଙ୍କ ଗୋଡ଼କୁ କାଟି ଦେଲା। ଏଭଳି କାଣ୍ଡ ଦେଖି ବସ୍ ଚାଳକ ଖଣ୍ଡଗିରି ଥାନା ସମ୍ମୁଖରେ ଗାଡ଼ି ରଖି ଥାନାରେ ଖବର ଦେଇଥିଲେ। ପୁଲିସ ତଦନ୍ତ କରିବାରୁ ଦୁଇ ମହିଳାଙ୍କ ବ୍ୟାଗ୍‌ରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର