ବାଇକ୍‌ ଲୁଟ୍‌ର ପର୍ଦାଫାସ: କିଙ୍ଗପିନ୍‌ ଦୀପୁ ସମେତ ୨ ଗିରଫ

୨୦ ଦାମୀ ବାଇକ୍‌ ଜବତ

ଖଣ୍ଡଗିରି: କିଛି ଦିନର ନିରବତା ପରେ ବାଇକ୍‌ ଚୋରି କରି ଖଣ୍ଡଗିରି ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିବା କୁଖ୍ୟାତ ବାଇକ୍‌ ଲୁଟେରା ଦୀପକ ସାହୁ ଓରଫ୍‌ ଦୀପୁ (୨୫) ପୁଣି ଗିରଫ ହୋଇଛି। ଏଥର ଖଣ୍ଡଗିରି ଥାନା ପୁଲିସ ତା’ଠାରୁ ୨୦ଟି ବାଇକ୍‌ ଜବତ କରିଛି। ଜବତ ବାଇକ୍‌ଗୁଡ଼ିକ ଦାମୀ ବ୍ରାଣ୍ଡର ବୋଲି ଜଣାପଡ଼ିଛି। ଏହି ମାମଲାରେ ପୁଲିସ ଦୀପୁ ଓ ତା’ର ସହଯୋଗୀ ସୁରେନ୍ଦ୍ର ରେଡ୍ଡୀକୁ କୋର୍ଟ ଚାଲାଣ କରିଛି। ତେବେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତା’ ନାମରେ ମୋଟ୍‌ ୧୧ଟି ମାମଲା ଥିବା ଜଣାପଡ଼ିଥିଲେ ବି ଆହୁରି ଅଧିକ ଲୁଟ୍‌ ମାମଲାରେ ତା ଗ୍ୟାଙ୍ଗ୍‌ ସମ୍ପୃକ୍ତ ବୋଲି ପୁଲିସ ସୂଚନା ଦେଇଛି। ତେବେ ଦୀପୁ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛି। ଗୁରୁବାର ଖଣ୍ଡଗିରି ଥାନାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଲେ ଯେ ସ୍ଥାନୀୟ ଡୁମୁଡୁମା ରଘୁନାଥନଗର ଶୁକ ବିହାରରେ ରହୁଥିବା ଦୀପୁ ଜଣେ କୁଖ୍ୟାତ ବାଇକ୍‌ ଲୁଟେରା। ବାଇକ୍‌ ଲୁଟ୍‌ର ଏହି କିଙ୍ଗପିନ ପୂର୍ବରୁ ଅନେକଥର ବାଇକ୍‌ ଚୋରି ଅଭିଯୋଗରେ ଗିରଫ ହୋଇଥିଲା। କେବଳ ଖଣ୍ଡଗିରି ଥାନା ଅଞ୍ଚଳ ନୁହେଁ, ଦୀପୁ ରାଜଧାନୀର ତମାଣ୍ଡୋ, ଚନ୍ଦ୍ରଶେଖରପୁର ଓ ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳ ସହ ଜଗତସିଂହପୁର ଆଦି ଅଞ୍ଚଳରୁ ବାଇକ୍‌ ଲୁଟ୍‌ କରିଥିବା ଜଣାପଡ଼ିଛି। କେବଳ ମାର୍କେଟ୍‌ ଅଞ୍ଚଳରୁ ନୁହେଁ, ଦୀପୁର ଗ୍ୟାଙ୍ଗ୍‌ ଘରର ଗେଟ୍‌ ତାଲା କାଟି ଅଗଣାରୁ ବାଇକ୍‌ ଉଠାଇ ନିଅନ୍ତି। ଗତ କିଛି ଦିନ ତଳେ ବମିଖାଲ ଦୟାନନ୍ଦ ନଗର ଅଞ୍ଚଳର ରାଜୁ ମୁଖୀଙ୍କ ଘରର ଗ୍ରିଲ୍‌ କାଟି ଏହି ଗ୍ୟାଙ୍ଗ୍‌ ତାଙ୍କ ପଲସର ଟେକି ନେଇଥିଲେ। ସେହିଭଳି ପାତ୍ରପଡ଼ା କଲ୍ୟାଣୀ ପ୍ଲାଜା ମାର୍କେଟ୍‌ରୁ ପୂର୍ବାହ୍ଣ ୧୧ଟା ବେଳେ ଜନଗହଳି ଥିବା ସତ୍ତ୍ୱେ ଏକ ବାଇକ୍‌ ଲୁଟି ନେଇଥିଲେ। ଦୁଇ ତିନିଟି ମାମଲାରେ ସେ ବାଇକ୍‌ ଲୁଟ୍‌ କରୁଥିବାର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ୍‌ ହୋଇଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ତାକୁ ଧରିବା ପାଇଁ ଜାଲ ବିଛାଇଥିଲା। ଦୁଇ ଦିନ ତଳେ ସେ ଘରକୁ ଆସିଥିବା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଅତର୍କିତ ଚଢ଼ଉ କରି ତାକୁ ଓ ତା’ର ମୁଖ୍ୟ ସହଯୋଗୀ ସୁରେନ୍ଦ୍ରକୁ କାବୁ କରିଥିଲା।

ନମ୍ବର ପ୍ଲେଟ୍‌ ବଦଳାଇ ବ୍ୟବହାର ହେଉଥିଲା
ରାଜଧାନୀରୁ ବାଇକ୍‌ ଚୋରି କରିବା ପରେ ଦୀପୁ ଗ୍ୟାଙ୍ଗର ସଦସ୍ୟମାନେ ନମ୍ବର ପ୍ଲେଟ୍‌ ବଦଳାଇ ଦେଉଥିଲେ। ଜବତ ହୋଇଥିବା ବାଇକ୍‌ଗୁଡ଼ିକରେ ଓଆର୍‌ ୦୭, ୧୧, ୧୯, ୦୪, ୧୨ ଓ ୧୦ ଆଦି କୋଡ୍‌ ନମ୍ବର ରହିଥିବା ଦେଖିବାକୁ ମିଳିଛି। ପୁଲିସ ଦୁଇ ଦିନ ଧରି କନ୍ଧମାଳ ଓ ଫୁଲବାଣୀ ଅଞ୍ଚଳରେ ଚୋରା ବାଇକ୍‌ ପାଇଁ ଚଢ଼ଉ କରିବା ବାବଦରେ କୌଣସି ସୂତ୍ରରୁ ଖବର ପ୍ରଚାରିତ ହୋଇ ଯାଇଥିଲା। ଗୋଟିଏ ଦୁଇଟି ଗାଁରେ ଚଢ଼ଉ ହେବା ଖବର ପ୍ରଚାରିତ ହୋଇଯାଇଥିଲା। ତେଣୁ ଚୋରା ବାଇକ୍‌ କିଣିଥିବା ଗ୍ରାହକମାନେ ଗାଁ ଦାଣ୍ଡରେ, ପୋଖରୀ ତୁଠରେ, ମନ୍ଦିର ପାଖରେ, ବଜାର ଅଞ୍ଚଳରେ ଓ ଏମିତିକି କିଛି ଗ୍ରାହକ ଥାନା ନିକଟରେ ବାଇକ୍‌ ଛାଡ଼ି ପଳାଇଥିଲେ।

ଦାମୀ ବାଇକ୍‌ ଉଠାଉଥିଲା, ଶସ୍ତାରେ ବିକୁଥିଲା
ଦୀପୁ ବ୍ରାଉନ୍‌ ସୁଗାର୍‌ ଖାଉଥିବା ଜଣାପଡ଼ିଛି। ନିୟମିତ ବ୍ରାଉନ୍‌ ସୁଗାର ଖର୍ଚ ବାବଦ ଆବଶ୍ୟକ ହେଉଥିବା ଟଙ୍କା ପାଇଁ ସେ ବାଇକ୍‌ ଲୁଟ୍‌ କରୁଥିଲା। ନକଲି ଚାବିରେ ବାଇକ୍‌ ଲକ୍‌ ଖୋଲିବାରେ ସେ ସିଦ୍ଧହସ୍ତ। ସେ ଭଲ ଭଲ ବ୍ରାଣ୍ଡର ଦାମୀ ବାଇକ୍‌କୁ ଟାର୍ଗେଟ କରି ଉଠାଇଥାଏ। ଏଥର ପୁଲିସ ତା’ଠାରୁ ୩ଟି ପଲସର୍‌, ୬ଟି ଆପାଚି, ୩ଟି ଗ୍ଲାମର୍‌, ୩ଟି ୟାମାହା, ଗୋଟିଏ ଲେଖାଏଁ ସିବିଜେଡ୍‌, ୟୁନିକର୍ଣ୍ଣ, ହୋଣ୍ଡା ଆକ୍ଟିଭା ଓ କରିଜ୍ମା ଜବତ କରିଛି। ତେବେ ମଜାର କଥା ହେଉଛି ସେ ଦାମୀ ବାଇକ୍‌ ଚୋରି କରୁଥିଲେ ବି ସେସବୁକୁ ଖୁବ୍‌ କମ୍‌ ଦାମରେ ବିକ୍ରି କରୁଥିଲା। ଅତି ବେଶିରେ ୨ରୁ ୩ହଜାର ଟଙ୍କାରେ ଗୋଟିଏ ବାଇକ୍‌ ବିକି ଦେଉଥିଲା। ଏମିତିକି କେତେଥର ମାତ୍ର ୫ ଶହ ଟଙ୍କାରେ ସେ ବାଇକ୍‌ ବିକିଥିବା ସ୍ୱୀକାର କରିଛି। କମ୍‌ ଦାମରେ ବିକି ଦେଉଥିବାରୁ ସେ ଚୋରି କରୁଥିବା ଗାଡ଼ି ସହଜରେ ବିକି୍ରି ହୋଇ ଯାଉଥିଲା।

କନ୍ଧମାଳ ଓ ଗଞ୍ଜାମ ଥିଲା ବିକ୍ରି ବଜାର
ରାଜଧାନୀରୁ ଲୁଟ୍‌ ହେଉଥିବା ବାଇକ୍‌ ସବୁ କନ୍ଧମାଳ, ଗଞ୍ଜାମ, ବୌଦ୍ଧ ଓ ନୟାଗଡ଼ ଆଦି ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ବିକ୍ରି ହେଉଥିଲା। ଦୀପୁ ବାଇକ୍‌ ଉଠାଇବା ପରେ ତା ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ବାଇକ୍‌ ନେଇ ସେହି ସବୁ ଇଲାକାକୁ ପଳାଉଥିଲେ ଓ ଶାଗମାଛ ଦରରେ ବିକି ଦେଉଥିଲେ। ଦୀପୁଠାରୁ ୨ ହଜାର ଟଙ୍କାରେ ନେଉଥିବା ଳୁଟେରାମାନେ ବାଇକ୍‌ ପିଛା ୫/୬ ହଜାର ଟଙ୍କାରେ ଲୋକଙ୍କୁ ବିକି ଦେଉଥିଲେ। ଚୋରା ମାଲ୍‌ ବୋଲି ଜାଣିବା ସତ୍ୱେ କିଛି ଲୋକ କମ୍‌ ଦାମ୍‌ ଲୋଭରେ ବାଇକ୍‌ କିଣି ପକାଉଥିଲେ। ସେ ଅଞ୍ଚଳରେ ଏମ୍‌ଭିଆଇ ବା ଟ୍ରାଫିକ୍‌ ପୁଲିସ ନିୟମ କଡ଼ାକଡ଼ି ନଥିବାରୁ ଲୋକେ କମ୍‌ ଦାମରେ ବାଇକ୍‌ କିଣି ବ୍ୟବହାର କରୁଥିଲେ। ତେବେ ଆଉ କିଛି ଲୋକ ଚୋରା ଗଞ୍ଜେଇ ଚାଲାଣ କରିବା ପାଇଁ ଜାଣିଶୁଣି ଏହି ଚୋରା ବାଇକ୍‌ କିଣୁଛନ୍ତି। ଦୁଇ ଚାରି ଥର ଚୋରାରେ ଗଞ୍ଜେଇ ଚାଲାଣ କରିଦେଲେ ସେମାନଙ୍କ ପଇସା ଉଠି ଯାଉଛି। ପୁଲିସ ରେଡ୍‌ ପଡ଼ିଲେ ବାଇକ୍‌ ଛାଡ଼ି ଫେରାର୍‌ ହୋଇ ଯାଆନ୍ତି।

ସମ୍ବନ୍ଧିତ ଖବର