ଛାତ୍ରଙ୍କ ଆକାଉଣ୍ଟରୁ ୨୨ ହଜାର ଉଭାନ

ବାଲିପାଟଣା: ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତର ନରୋଦା ଭୋଇସାହିର ଦିବାକର ଭୋଇଙ୍କ ପୁଅ ବୁଦ୍ଧନାଥ ଭୋଇ(୧୫)ଙ୍କ ନରୋଦା ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ଗତ ଏପ୍ରିଲ ୨୨ ତାରିଖରେ କେହି ଚଞ୍ଚକତା କରି ୨୨ ହଜାର ଟଙ୍କା ଉଠାଇ ନେଇଛି। ଏନେଇ ବୁଦ୍ଧନାଥଙ୍କ ମା’ ରମାଦେବୀ ବ୍ୟାଙ୍କ ଶାଖାରେ ଗତ ୧୯ତାରିଖରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ପ୍ରାୟ ୫୦ ଜଣ ମହିଳା ବ୍ୟାଙ୍କ ଶାଖା ଘେରାଉ କରିଥିଲେ। ଘଟଣାର ତଦନ୍ତ କରିବାକୁ ବ୍ୟାଙ୍କ ମ୍ୟାନେଜର ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଘେରାଉରୁ ଓହରିଥିଲେ। ଅପରପକ୍ଷରେ ବ୍ୟାଙ୍କ ମ୍ୟାନେଜର ୧୦ ଦିନ ସମୟ ମାଗିଥିବା ଜଣାପଡିଛି। ବ୍ୟାଙ୍କର ସିସିଟିଭି ଯାଞ୍ଚ ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କହିଛନ୍ତି ଶାଖା ଅଧିକାରୀ।
ଦୀର୍ଘ ୧୨ ବର୍ଷ ଧରି ସ୍ବାମୀ ଦିବାକରଙ୍କ ଠାରୁ ଅଲଗା ରହୁଥିବା ରମାଦେବୀ ମୂଲ ଲାଗି ସଞ୍ଚୟ କରିଥିବା ଅର୍ଥ ଚାଲିଯିବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଅନ୍ୟପଟେ ବୁଦ୍ଧନାଥ ସ୍ଥାନୀୟ ବିପିନ ବିହାରୀ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଏଭଳି ଘଟଣା ପାଠପଢ଼ାକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର