ଅବକାରୀ ଚଢ଼ଉ, ୨୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଓ ୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଅବକାରୀ ବିଭାଗ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଓ ଅବକାରୀ ଫ୍ଲାଇଂ ସ୍କ୍ବାଡ୍‌ ସାଲିଆସାହି ଆଦିବାସୀ ଗାଁରେ ଚଢ଼ଉ କରି ୨ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଲିଆସାହି ଆଦିବାସୀ ଗାଁର ସହଦେବ ଦାସ ଓ ବୁଲୁ ନାୟକ। ଅବକାରୀ ବିଭାଗ କର୍ମଚାରୀମାନେ ଏମାନଙ୍କଠାରୁ ୧୯୫ ଗ୍ରାମର ବ୍ରାଉନ୍‌ ସୁଗାର ଓ ନଗଦ ୩ ଲକ୍ଷ ୭୬ ହଜାର ଟଙ୍କା ଜବତ କରିଛନ୍ତି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ପାଖାପାଖି ୨୪ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗଠାରୁ ମିଳିଥିବା ସୂଚନା ମୁତାବକ, ଏହି ଦୁଇ ନିଶା ବେପାରୀ ଚଣ୍ଡୀଖୋଲର ଛତିଆ ଓ ବା‌ଲେଶ୍ବରରୁ ବ୍ରାଉନସୁଗାର ଆଣି ବେପାର କରୁଥିଲେ। ଆଜି ଭୋର୍‌ରେ ଫ୍ଲାଇଂ ସ୍କ୍ବାଡ୍‌ର କର୍ମଚାରୀମାନେ ସାଦା ପୋଷାକାରେ ଯାଇ ଆଦିବାସୀ ଗାଁରେ ନଜର ରଖିଥିଲେ। ସେମାନେ ପ୍ରଥମେ ନିଶା ବେପା‌ରୀଙ୍କଠାରୁ ବ୍ରାଉନସୁଗାର କିଣିବାର ଅଭିନୟ କରିଥିଲେ। ଦୁହେଁ ବ୍ରାଉନସୁଗାର ଦେବା ମାତ୍ରେ ଅବକାରୀ ପୁଲିସ ସେମାନଙ୍କୁ କାବୁ କରିଥିଲା। ତଲାସି ବେଳେ ଏତେ ପରିମାଣର ବ୍ରାଉନସୁଗାର ଜବତ ହୋଇଥିଲା। କମିସନରେଟ ପୁଲିସ ଓ ଅବକାରୀ ବିଭାଗ ସୂଚନା ମୁତାବକ, ଉଭୟ ୨୦୧୬ରେ ୩୪ଟି ମାମଲା ରୁଜୁ କରିଥିବା ବେଳେ ୬୩ ଜଣ ଗିରଫ ହୋଇଥିଲେ। ୨୦୧୭ରେ ୪୫ ମାମଲା ରୁଜୁ ହୋଇଥିବା ବେଳେ ୧୧୦ ଜଣ ଓ ଚଳିତ ବର୍ଷ ୩୫ ମାମଲାରେ ଏବେ ସୁଦ୍ଧା ୭୦ ଜଣ ଗିରଫ ହୋଇଛନ୍ତି।

ଅନ୍ୟପକ୍ଷରେ, ଗତ ୧୪ ତାରିଖରୁ ଆଜି ପର୍ଯ୍ୟନ୍ତ ତିନି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଓ ଅବକାରୀ ଫ୍ଲାଇଂ ସ୍କ୍ବାଡ୍‌, କଟକ ରାଜଧାନୀର ସାଲିଆସାହି, ନୀଳଚକ୍ରନଗର, ମୁଣ୍ଡାସାହି, ପାତ୍ରପଡ଼ା, ଆଇଗିଣିଆ, ଶିଖରଚଣ୍ଡୀ ମଞ୍ଚେଶ୍ବର ଏବଂ ଏୟାରଫିଲ୍ଡ ଥାନା ଅଞ୍ଚଳରେ ମିଳିତ ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ ଅବକାରୀ ବିଭାଗ କର୍ମଚାରୀ ପାଖାପାଖି ୧୫୦ ଲିଟର ଦେଶୀମଦ, ମଦରନ୍ଧା ସରଞ୍ଜାମ ଜବତ କରିଛି। ସେହିପରି ୨୧ଜଣଙ୍କୁ ଗିରଫ କରାଯାଇଛି। ଚଢ଼ଉରେ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ, ଫ୍ଲାଇଂ ସ୍କ୍ବାଡ୍‌ ଉପ ଅଧୀକ୍ଷକ ଶାନ୍ତନୁ କୁମାର ଦାସ, ନିରୀକ୍ଷକ ଶରତ ଚନ୍ଦ୍ର ଭଞ୍ଜ, ଭୁବନେଶ୍ବର ସଦର ନିରୀକ୍ଷକ ଦେବୀ ପ୍ରସାଦ ଦାସ, ହୃଦୟ ଚନ୍ଦ୍ର ସାମନ୍ତ, ଅନିତା ପ୍ରଧାନ, ମଧୁସୂଦନ ସାହୁ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର