ଭୁବନେଶ୍ୱର ବୁଲାଇ ଦେବ କହି ୨୫ ହଜାର ନେଇଗଲା

ଭୁବନେଶ୍ୱର: ‘ତୁମ ପୁଅ ମୋ ସାଙ୍ଗ। ସେ ହିଁ ମୋତେ ପଠାଇଛି ଆପଣଙ୍କୁ ଭୁବନେଶ୍ୱର ବୁଲାଇ ଦେବାକୁ। ପ୍ରଥମେ ଆମେ ଲିଙ୍ଗରାଜ ମନ୍ଦିର ଯିବା, ପରେ ରାମମନ୍ଦିର, ନନ୍ଦନକାନନ ବୁଲିବା। ଆସ ମୋ ବାଇକ୍‌ରେ ବସ।’ ଏଭଳି କଅଁଳ କଥା କହି ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲୁଟି ନେଇଛି ଜଣେ ଯୁବକ। ଏ ନେଇ ସଂପୃକ୍ତ ବୟସ୍କ ବ୍ୟକ୍ତିଙ୍କ ପୁଅ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ଠକକୁ ଗିରଫ କରିଛି। ତା ନାଁ ଦୀନକୃଷ୍ଣ ହରିଚନ୍ଦନ। ଘର ପୁରୀ ଜିଲ୍ଲା ଡେଲାଙ୍ଗରେ। ଏଠାରେ ସେ ଝାରପଡ଼ା ଅଞ୍ଚଳରେ ରହେ। ପୁଲିସ ତା ନିକଟରୁ ୨ ହଜାର ଟଙ୍କା ଜବତ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ନୂଆପଲ୍ଲୀର ସନାତନ ସାହୁ ଚିନ୍ତାମଣିଶ୍ୱର ଅଞ୍ଚଳରେ ରହୁଥିବା ପୁଅ ନିକଟକୁ ବସ୍‌ରେ ଆସିଥିଲେ। ଲକ୍ଷ୍ମୀସାଗର ଛକରେ ସନାତନ ଓହ୍ଲାଇବା ପରେ ଦୀନକୃଷ୍ଣ ତାଙ୍କ ପାଖରେ ପହଞ୍ଚି ଯାଇଥିଲା। କହିଥିଲା, ମଉସା ତୁମ ପୁଅ ମୋ ସାଙ୍ଗ। ଆସ ତୁମକୁ ଭୁବନେଶ୍ୱର ବୁଲାଇ ନେବି। ଦୀନକୃଷ୍ଣଙ୍କ କଥାରେ ବିଶ୍ୱାସ କରି ସନାତନ ବାଇକ୍‌ରେ ବସି ଯାଇଥିଲେ। ପ୍ରଥମେ ସେ ତାଙ୍କୁ ଲିଙ୍ଗରାଜ ମନ୍ଦିର ବୁଲାଇଥିଲା। ରାମ ମନ୍ଦିର ପାଖରେ ପହଞ୍ଚିବା ପରେ ଦୀନକୃଷ୍ଣ କହିଥିଲା ମଉସା ଯାହା ପଇସାପତ୍ର ଅଛି ମୋତେ ଦେଇ ଦିଅ, ନ ହେଲେ ଏଠାରେ ପକେଟମାର ହୋଇ ଯିବାର ସମ୍ଭାବନା ଅଛି। ବିଶ୍ୱାସରେ ସନାତନ ପାଖରେ ଥିବା ୨୫ ହଜାର ଟଙ୍କା ଦେଇ ଦେଇଥିଲେ। ଏହା ପରେ ଦୀନକୃଷ୍ଣ, ସନାତନଙ୍କୁ ଝାରପଡ଼ାକୁ ନେଇ ସେଠାରେ ଛାଡ଼ି ଦେଇ ଚମ୍ପଟ ହୋଇ ଯାଇଥିଲା। ଏଣେ ବାପାଙ୍କୁ ଖୋଜିଖୋଜି ସନାତନଙ୍କ ପୁଅ ଲକ୍ଷ୍ମୀସାଗର ଛକକୁ ଆସିଥିଲେ। ଏହି ସମୟରେ ଝାରପଡ଼ା ପଟୁ ସନାତନ ଚାଲି ଚାଲି ଆସୁଥିଲେ। ପୁଅକୁ ଦେଖି ସମସ୍ତ ଘଟଣା କହିବା ପରେ ତୁରନ୍ତ ସେମାନେ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ ସାଙ୍ଗସାଙ୍ଗେ ସନାତନଙ୍କୁ ଝାରପଡ଼ା ଅଞ୍ଚଳକୁ ନେଇ ଯାଇଥିଲା। ଦୀନକୃଷ୍ଣଙ୍କ ଘରକୁ ଚିହ୍ନଟ କରିଥିଲା ପୁଲିସ। ଏହା ପରେ ଗତକାଲି ସକାଳୁ ସକାଳୁ ପୁଲିସ ଦୀନକୃଷ୍ଣଙ୍କ ଘରେ ଚଢ଼ଉ ତାକୁ ଗିରଫ କରିଥିଲା। ତେବେ ତା ନିକଟରୁ ପୁଲିସ ମାତ୍ର ୨ ହଜାର ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର