ଗ୍ୟାରେଜ୍‌ ମାଲିକଙ୍କୁ ଆକ୍ରମଣ, ୩ ଗିରଫ

ଭୁବନେଶ୍ୱର : ବାଇକ୍‌ ସଜାଡ଼ିବାରେ ବିଳମ୍ବ ହେବାରୁ ଗ୍ୟାରେଜ୍‌ ମାଲିକଙ୍କୁ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳର କାଳି ଓରଫ ସନ୍ତୋଷ ସାହୁ (୨୦), ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳର ବସନ୍ତ ପାତ୍ର(୨୮) ଓ କୁନା ଦଳେଇ(୨୭)।

ପୁଲିସ ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ସମୟରେ ସନ୍ତୋଷ, ବସନ୍ତ ଓ କୁନା ଏକ ବାଇକ୍‌ରେ କେଶରୀ ଟକିଜ୍‌ ନିକଟରୁ ମାଷ୍ଟକ୍ୟାଣ୍ଟିନ୍‌ ଯାଉଥିଲେ। କୌଣସି କାରଣରୁ ବାଇକ୍‌ଟି ଖରାପ ହୋଇଯାଇଥିଲା। ବାଇକ୍‌ ସଜାଡ଼ିବା ପାଇଁ ସନ୍ତୋଷ ସେଠାରେ ଥିବା ଏକ ଗ୍ୟାରେଜ୍‌ରେ ଦେଇଥିଲେ। କିନ୍ତୁ ବାଇକ୍‌ ସଜାଡ଼ିବାରେ ବିଳମ୍ବ ହେବାରୁ ସନ୍ତୋଷ, ବସନ୍ତ ଓ କୁନା ଗ୍ୟାରେଜ୍‌ ମିସ୍ତ୍ରୀ ଉପରେ ପାଟି କରବା ସହ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ। ସେଠାରେ ଥିବା ଗ୍ୟାରେଜ୍‌ ମାଲିକ ଆଲମାସ ସରିଫ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଆଲ୍‌ମାସ ଓ ଯୁବକମାନଙ୍କ ମଧ୍ୟରେ ପାଟିିତୁଣ୍ଡ ହୋଇଥିଲା। ଯୁବକମାନେ ଉତ୍ତ୍ୟକ୍ତ ହୋଇ ଆଲ୍‌ମାସଙ୍କୁ ମାଡ଼ ମାରିଥିଲେ। ଏନେଇ ଆଲ୍‌ମାସ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ତିନି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଶାଳୀକୁ ଅପହରଣ କରି ଭିଣୋଇ ଗିରଫ

ଖଣ୍ଡଗିରି : ଶାଳୀକୁ ଅପହରଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଜି ଭିଣୋଇକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ସ୍ଥାନୀୟ ଡୁମୁଡୁମା ରଘୁନାଥନଗରରେ ରହୁଥିବା ଗଞ୍ଜାମ ଜିଲ୍ଲା ପୋଲସରା ଖଣ୍ଡୁରି ଗାଁର ଯଦୁମଣି ପ୍ରଧାନ(୩୫)। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ, ରଘୁନାଥନଗରରେ ରହୁଥିବା ସୁଦାମ ସାହୁଙ୍କ ବଡ଼ ଝିଅକୁ ଯଦୁମଣି ବିବାହ କରିଥିଲେ। ବିବାହ ପରେ ଯଦୁମଣି ତା’ର ପରିବାର ସହ ଗାଁରେ ରହୁଥିଲା। ସେମାନଙ୍କ ଏକ ବର୍ଷକର ଶିଶୁକନ୍ୟା ଅଛି। କିନ୍ତୁ ଝିଅଟି ଜନ୍ମ ଦେବା ପରେ ଶ୍ୱଶୁର ସୁଦାମ ଝିଅଜ୍ୱାଇଁଙ୍କୁ ଆଣି ରଘୁନାଥନଗରରେ ଏକ ଭଡ଼ା ଘରେ ରଖାଇଥିଲା। ଶ୍ୱଶୁର ସୁଦାମ ଜଣେ ଭଲ ରାଜମିସ୍ତ୍ରୀ ହୋଇଥିବାରୁ ଜ୍ୱାଇଁ ଯଦୁମଣିକୁ ବି ଭଲ କାମ ମିଳୁଥିଲା। ରୋଜଗାର ବାଇଁ ଭୁବନେଶ୍ୱର ଆସିଥିବା ଯଦୁମଣି କିନ୍ତୁ ଏ ଭିତରେ ତାଙ୍କ ୧୭ ବର୍ଷିୟା ଶାଳୀକୁ ପ୍ରେମରେ ଫସାଇଥିଲେ। ପ୍ରାୟ ୬ ମାସ ପୂର୍ବେ ସେ ଶାଳୀକୁ ନେଇ ସୁରଟ ପଳାଇଥିଲେ। ଏ ନେଇ ଶ୍ୱଶୁର ସୁଦାମ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଗତ ୧୦ ତାରିଖରେ ଯଦୁମଣି ଗାଁକୁ ଫେରିଥିବା ଖବର ମିଳିଥିଲା। ତେବେ ଗତକାଲି ସେ ଶାଳୀକୁ ଧରି ପୁଣି ରଘୁନାଥନଗରସ୍ଥିତ ତା’ ଭଡ଼ା ଘରକୁ ଫେରିବା ପରେ ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର