ନାବାଳକ କରିଥିଲେ ଆଇଏଏସ୍‌ଙ୍କ ଘରୁ ଚୋରି : ୩ ଗିରଫ, ୨.୫ ଲକ୍ଷ ଟଙ୍କା ସହ ସୁନାଗହଣା ଜବତ

ଭୁବନେଶ୍ବର : ୟୁନିଟ୍‌-୮ ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ଥିବା ଶିଳ୍ପ ନିର୍ଦେଶକ ଆଇଏଏସ୍‌ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଓ ସ୍ପେସାଲ୍‌ସ୍କ୍ବାଡ୍‌ ପୁଲିସ ମିଳିତ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ଓ ୨ ନାବାଳକଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨ଲକ୍ଷ ୫୨ହଜାର ଟଙ୍କା, ସାଢ଼େ ୩ଲକ୍ଷଟଙ୍କାର ସୁନାଗହଣା, ୨ଟି ଲାପଟପ୍‌, ଏଲ୍‌ଇଡି ଟିଭି ଓ ୩ଟି ମୋବାଇଲ୍ ଫୋନ୍‌ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ହେଲା ୟୁନିଟ୍‌-୮ ଅଞ୍ଚଳର ଆଦିତ୍ୟ ପ୍ରସାଦ ସାହୁ(୨୧)।

ପୁଲିସ ସୂଚନା ମୁତାବକ, ଆଦିତ୍ୟ ଓ ତାର ଦୁଇ ନାବାଳକ ସହଯୋଗୀ ନିର୍ଦେଶକଙ୍କ ଘରୁ ଲୁଟ୍‌ ପାଇଁ ଯୋଜନା କରିଥିଲେ। ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରିବା ସହ ପରିବାର ଉପରେ ନଜର ରଖିଥିଲେ। ‌ଗତ ୧୯ ତାରିଖରେ ନିର୍ଦେଶକ ଶ୍ରୀ ନାଥ ଓ ତାଙ୍କ ପରିବାର ବାହାରକୁ ବୁଲିବାକୁ ଯାଇଥିଲେ। ଏହି ସୁଯୋଗରେ ଆଦିତ୍ୟ ଓ ୨ ନାବାଳକ ପାଚେରି ଡେଇଁ ଘର ତାଲା ଭାଙ୍ଗି ୫ଲକ୍ଷ ଟଙ୍କା ଓ ସୁନାଗହଣା ନେଇଯାଇଥିଲେ। ୨୧ ତାରିଖ ସକାଳେ ଶ୍ରୀ ନାଥ ପହଞ୍ଚି ଘଟଣା ସଂପର୍କରେ ଜାଣିବା ପରେ ନୂଆପଲ୍ଲୀ ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ସ୍ଥାନୀୟ ଅଞ୍ଚଳର କେତେକ ନିଶାସକ୍ତ ଯୁବକ ଏଭଳି କାଣ୍ଡ ଘଟାଇଛନ୍ତି। ସେମାନଙ୍କ ନମ୍ବର ଟ୍ରାକିଂ କରି ପୁଲିସ ଭଞ୍ଜନଗର ଦୁର୍ଗାପ୍ରସାଦ ଅଞ୍ଚଳରେ ଚଢ଼ଉ କରି ୨ ନାବାଳକଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ଚୋରି କରିଥିବା ମାନିଥିଲେ। ‌ପୁଲିସ ଆଦିତ୍ୟକୁ ୟୁନିଟ୍-୮ ଘରୁ ଗିରଫ ପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ଲୁଟ୍‌ ଟଙ୍କାରେ ୩ଟି ମୋବାଇଲ୍‌ କିଣିଥିବା କହିଥିଲେ। ପୁଲିସ ସେମାନଙ୍କ ଘର ଯାଞ୍ଚ ପରେ ଜିନିଷ ଓ ଟଙ୍କା ଜବତ କରିଥିଲା। ନାବାଳକ ଦ୍ବୟଙ୍କୁ ବଳସୁଧାର ଗୃହକୁ ପଠାଇଛି।

ସମ୍ବନ୍ଧିତ ଖବର