୩ ହାଇୱେ ଲୁଟେରା ଗିରଫ

https://sambad.in/?p=333438&preview=true

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନୀ ଓ ଛିନ୍‌ତାଇ କରୁଥିବା ୩ ଜଣ କୁଖ୍ୟାତ ଲୁଟେରାଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ପୁରୁଣା ଭୁବନେଶ୍ବରରେ ରହୁଥିବା କଟକ ବାଙ୍କୀ ତୁଳସୀପୁରର ଅନିଲ ପାରମାଣିକ, ଖଣ୍ଡଗିରି ଥାନା ପାତ୍ରପଡ଼ାରେ ରହୁଥିବା ଜଟଣୀ ଅରଗୁଳର ଆଦିତ୍ୟ ପ୍ରସାଦ ସାହୁ ଓ ବରମୁଣ୍ଡା ଗାଁର ବିକାଶ ସାହୁ। ଜାମିନ୍ ନାମଞ୍ଜୁର ହେବାରୁ ଏମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିକାଶ ଓ ଆଦିତ୍ୟ ଏହି ଅଞ୍ଚଳରେ ବାରମ୍ବାର ଲୁଟ୍‌ପାଟ୍‌ କରୁଥିବାରୁ ଏମାନଙ୍କ ନାମରେ ୧୧୦ ଧାରା ଲାଗୁ କରାଯିବ ବୋଲି ସୂଚନା ମିଳିଛି। ବିକାଶ ହେଉଛି ଏହି ଗ୍ୟାଙ୍ଗ୍‌ର ମୁଖିଆ।

ସୂଚନାନୁସାରେ ତମାଣ୍ଡୋରେ ରହୁଥିବା ଭଦ୍ରକର ଦେବେନ୍ଦ୍ର ଦାସ ଗତ ୨୮ ତାରିଖ ରାତି ପ୍ରାୟ ୮ଟା ବେଳେ ବଜାରରୁ ଘରକୁ ଫେରୁଥିଲେ। ସେ ରାଜପଥ ପାର୍ ହେଉଥିବା ବେଳେ ଉକ୍ତ ୩ ଅଭିଯୁକ୍ତ ଏକ ପଲସର ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଦେବେନ୍ଦ୍ର ଅଟକିବା ମାତ୍ରେ ସେମାନେ ତାଙ୍କୁ ମାଡ଼ ମାରି ମୋବାଇଲ୍‌ ଝାମ୍ପି ନେଇ ପଳାଇଥିଲେ। ଏ ନେଇ ସେ ତମା‌ଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଟିମ୍‌ ସେମାନଙ୍କୁ ପୁରୁଣା ଭୁବନେଶ୍ବରରୁ ଠାବ କରିଥିଲା। ପୁଲିସ ସେମାନଙ୍କଠାରୁ ଦେବେନ୍ଦ୍ରଙ୍କ ମୋବାଇଲ୍ ଓ ଲୁଟ୍‌ ବେଳେ ବ୍ୟବହୃତ ପଲସର୍‌ ଜବତ କରିଛି। ପୂର୍ବରୁ ତମାଣ୍ଡୋ ଥାନା ପୁଲିସ ଏମାନଙ୍କୁ ହାଇୱେରେ ଲୁଟ୍‌ପାଟ୍ କରୁଥିବା ଅଭିଯୋଗରେ ଗିରଫ କରିଛି।

ସମ୍ବନ୍ଧିତ ଖବର