ଟାଟା ଏସ୍‌ ଓ ୨ଲୁହା ପାଇପ ଜବତ ୩ ଲୁଟେରା ଗିରଫ

ଭୁବନେଶ୍ୱର: ଏକ ଘରୋଇ କନଷ୍ଟ୍ରକସନ୍‌ ସଂସ୍ଥାରୁ ଲୁଟ୍‌ପାଟ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ଟାଟା ଏସ୍‌ ଓ ୨ଟି ଲୁହା ପାଇପ୍‌ ଜବତ କରିଛି। ସେମାନେ ହେଲେ ରସୁଲଗଡ଼ ବେହେରାସାହି ଅଞ୍ଚଳର ଦିଲ୍ଲୀପ ବେହେରା(୩୨), ଜିଜିପି କଲୋନିର ବିଜୟ ପ୍ରଧାନ(୨୮) ଓ କଟକ ମାହାଙ୍ଗା ଅଞ୍ଚଳର ମହସିଲ୍‌ ଖାଁନ୍‌(୩୨)। ଏକ ସଂସ୍ଥା ପକ୍ଷରୁ ଲକ୍ଷ୍ମୀସାଗର କେନାଲବନ୍ଧ ରୋଡ୍‌ରେ କନ୍‌ଷ୍ଟ୍ରକସନ୍‌ କାମ ଚାଲିଥିଲା। ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀପ, ବିଜୟ ଓ ମହସିଲ୍‌ ମିଶି ସେଠାରୁ ଲୁହା ପାଇପ୍‌କୁ ନେଇ ପଳାଉଥିଲେ। ପାଇପ୍‌ ଚୋରି ଦେଖି ସେଠାରେ ଥିବା ସିକ୍ୟୁରିଟିଗାର୍ଡ ପାଟି କରିଥିଲା। ସିକ୍ୟୁରିଟିଗାର୍ଡ ପାଟି ଶୁଣି ଅନ୍ୟ କର୍ମଚାରୀମାନେ ଧାଇଁ ଆସିଥିଲେ। ତେବେ ସେମାନଙ୍କୁ ଦେଖି ଲୁଟେରାମାନେ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଏମିତିକି ଉଭୟ କର୍ମଚାରୀ ଓ ଲୁଟେରାଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ତେବେ କର୍ମଚାରୀମାନେ ତିନିଜଣଙ୍କୁ କାବୁ କରି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଗିରଫ କରି ଥାନାକୁ ନେଇଥିଲା। ସେମାନଙ୍କୁ ପଚରାଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର