ଯାଁଳାରୁ ୩ ଲୁଟେରା ଗିରଫ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ବାଇକ୍‌ ଆରୋହୀଙ୍କୁ ଲୁଟିଥିବା ଅଭିଯୋଗରେ ଯାଁଳା ଫାଣ୍ଡି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସେହି ଫାଣ୍ଡି ଅନ୍ତର୍ଗତ ଉତ୍ତରମୁଣ୍ଡମୁହାଁଣର ପ୍ରବୀଣ ପ୍ରଧାନ ଓରଫ୍‌ ଟଲର, ସୌଭାଗ୍ୟ ସାହୁ ଓରଫ୍‌ ମୁନା ଓ ଖଣ୍ଡଗିରି ପାତ୍ରପଡ଼ା ଅଞ୍ଚଳର ହେମନ୍ତ କୁମାର ଜେନା ଓରଫ୍‌ ଚନ୍ଦୁ। ୨୦/୨୨ ବର୍ଷିଆ ଏହି ୩ ଜଣ ନୂଆ ନୂଆ ଅପରାଧ ଦୁନିଆରେ ପାଦ ରଖିଥିବା ପୁଲିସ ସୂଚନା ଦେଇଛି। ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ମହାକାଳପଡ଼ାର କିଶୋର କୁମାର ଖଟୁଆ ଖୋର୍ଧାରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ୩ ଜଣ ସ୍ଥାନୀୟ ପେଟ୍ରୋଲ୍‌ ପମ୍ପ ନିକଟରେ ତାଙ୍କୁ ଅଟକାଇଥିଲେ। ସେ ବାଇକ୍‌ ଗତି କମାଇବା ମାତ୍ରେ ଏମାନେ ତାଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ନେବା ସହ ପକେଟ୍‌ରୁ ପର୍ସ ବାହାର କରି ସେଥିରୁ କିଛି ଟଙ୍କା ନେଇ ଯାଇଥିଲେ। ଏ ନେଇ ଶ୍ରୀ ଖଟୁଆ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଏମାନଙ୍କୁ ଠାବ କରିଥିଲା। ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଚୋରମାନେ ମାତିଥିବାରୁ ଲୋକଙ୍କ ଭିତରେ ଭୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର