ଟ୍ରେନ୍‌ବୋର୍ଡରେ ଠିଆ ହୋଇଥିବା ଯାତ୍ରୀଙ୍କ ହାତରୁ ଚୋର ଝାମ୍ପି ନେଲା ମୋବାଇଲ୍‌; ଡେଇଁପଡ଼ିବାରୁ ଟ୍ରାକ୍‌ରେ ପଡ଼ି ଚାଲିଗଲା ଯାତ୍ରୀଙ୍କ ଜୀବନ

ମୁମ୍ବାଇ: ଅନେକ ସମୟରେ ମୋବାଇଲ୍‌ ମୃତ୍ୟୁର କାରଣ ପାଲଟୁଛି। ପୂର୍ବରୁ ସେଲ୍‌ ଫୋନ୍‌ରେ ସେଲ୍‌ଫି ନେବାରୁ ଆରମ୍ଭ କରି ନୀଳ ତିମି ଆତଙ୍କ ଆଦି ବିଭିନ୍ନ କାରଣରୁ ମୋବାଇଲ୍‌ ପାଇଁ ଲୋକଙ୍କ ଜୀବନ ଯାଉଛି। ନିକଟରେ ସେହି ମୋବାଇଲ୍‌ ଫୋନ୍‌କୁ ଚୋର ହାତରୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଅଗଷ୍ଟ ୧୯ ତାରିଖରେ ନାସିକ୍‌ସ୍ଥିତ ଏକ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ଚେତନ ଆହିରୋ(୩୫) ଥାନେ ଯିବା ପାଇଁ ଏକ ଲୋକାଲ୍‌ ଟ୍ରେନ୍‌କୁ ଚଢ଼ିଥିଲେ। ଚେତନ ଟ୍ରେନ୍‌କୁ ଚଢ଼ିବା ପରେ ଫୁଟ୍‌ବୋର୍ଡରେ ଠିଆ ହୋଇଥିଲେ। ଟ୍ରେନ୍‌ଟି କଲଓ୍ଵା ଷ୍ଟେସନ୍‌ ଫ୍ଲାଟଫର୍ମ ଛାଡ଼ିବାକୁ ଥାଏ, ଅଜୟ ସୋଲାଙ୍କି ନାମକ ଜଣେ ୧୯ ବର୍ଷିଅ ଯୁବକ ଚେତନ୍‌ଙ୍କୁ ମାଡ଼ ମାରି ତାଙ୍କ ହାତରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲା। ନିଜ ମୋବାଇଲ୍‌ ଫୋନ୍‌ ଫେରି ପାଇବାକୁ ଚେତନ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଦୁର୍ଯୋଗକୁ ସେ ଟ୍ରାକ୍‌ରେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇ ଥିଲା। ହସ୍ପିଟାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।

ଚେନତଙ୍କ ମୋବାଇଲ୍‌ ପାଇବା ପରେ ଅଜୟ ସ୍ଥାନ ଛାଡ଼ି କେଉଁ ଆଡ଼େ ପଳା ଯାଇଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଏହାକୁ ଏକ ଦୁର୍ଘଟଣା ବୋଲି ଧରି ନେଇଥିଲା। ମାତ୍ର ଚେତନଙ୍କ ଫୋନ୍‌ ନ ମିଳିବାରୁ ପୁଲିସ୍‌ ମନରେ ସନ୍ଦେହ ଆସିଲା। ସନ୍ଦେହ ଦୂର କରିବାରୁ ସିସିଟିଭି ଫୁଟେଜ୍‌ ଦେଖିବାକୁ ଅଜୟର ସତ ପଦାକୁ ଆସିଲା। ଘଟଣା ଘଟିବାର ପରଦିନ ଅଜୟକୁ କଲଓ୍ଵା ଷ୍ଟେସନ୍‌ ନିକଟସ୍ଥ ବସ୍ତିରୁ ପୁଲିସ୍‌ ଧରିଛି। ୨୦୧୭ ମସିହାରେ ମଧ୍ୟ ଅଜୟ ମୋବାଇଲ୍‌ ଚୋରି ଅଭିଯୋଗରେ ଗିରଫ ହୋଇଥିଲା। ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ପୁଲିସ୍‌ ଅଜୟକୁ ହେପାଜତରେ ରଖିଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର