ଜୁଆ ଆଡ଼ାରେ ଚଢ଼ଉ, ୩ ଗିରଫ ୩୨ ହଜାର ଟଙ୍କା, ୬ ବାଇକ ଜବତ

ବାଲିଅନ୍ତା: ବାଳକାଟିରେ ଦୀର୍ଘଦିନ ଧରି ଚାଲିଥିବା ଏକ ଜୁଆ ଆଡ଼ାରେ ଅତର୍କିତ ଚଢ଼ଉ କରି ବାଲିଅନ୍ତା ଥାନା ପୁଲିସ ୩ ଜଣ ଜୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପ୍ରତାପଶାସନର ଶ୍ରୀଧର ଜେନା (୬୨), ସୁମନ୍ତ ନାରାୟଣ ବେହେରା (୪୦) ଓ ସୁନାକର ସାହୁ (୪୪)। ଏଥିସହିତ ଘଟଣାସ୍ଥଳରୁ ପୁଲିସ ସେମାନଙ୍କ ନିକଟରୁ ୩୨ ହଜାର ଟଙ୍କା ସହିତ ୩ ବୁଲେଟ୍‌ ସମେତ ୬ ବାଇକ୍‌, ଗୋଟିଏ ମୋପେଡ୍‌, ୩ଟି ମୋବାଇଲ ଫୋନ୍‌ ଓ ଦୁଇ ମୁଠା ତାସ୍‌ ଜବତ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏସଂକ୍ରାନ୍ତରେ ଥାନାରେ କେସ ନଂ ୨୨୪ / ୧୮ ରେ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଦୀର୍ଘଦିନ ହେବ ବାଳକାଟି ରଙ୍ଗଣି ସାହି , ନନ୍ଦିସାହିଗଡ଼ା , ହାଟପଛ ପାର୍ଶ୍ୱ ଓ ନୂଆପାଟଣାରରେ ଜୁଆଖେଳର ଆସର ଜମୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିଲା। ଆଜି ଦିନ ସାଢ଼େ ଗୋଟାଏ ବେଳେ ବାଲିଅନ୍ତା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସଦଳବଳେ ନନ୍ଦିସାହି ଗଡ଼ା ସ୍ଥିତ ପୂର୍ବରୁ ଚଢ଼ଉ ହୋଇଥିବା ଗଞ୍ଜଇ ଡିପୋ ଘରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ମୁଖ୍ୟ ଜୁଆଡ଼ି ସହିତ ୫ ଜଣ ଜୁଆଡ଼ି ପୁଲିସକୁ ଭୁଅାଁବୁଲାଇ ଖସିପଳାଇବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ କିନ୍ତୁ ପୁଲିସ ହାତରେ ଧରାପଡ଼ିଯାଇଥିଲେ। ତେବେ ଯେଉଁ ଜୁଆଡ଼ିଆମାନେ ସେଠାରୁ ଫେରାର ହୋଇଯାଇଛନ୍ତି , ପୁଲିସ ସେମାନଙ୍କ ବାଇକ ଓ ବୁଲେଟକୁ ଜବତ କରିଛି। ଏଥିରେ ମାହାଲ ସାହିର ଜଣେ ଗଞ୍ଜେଇ ବ୍ୟବସାୟୀ ସଂପୃକ୍ତ ଥିବା ଜଣାପଡ଼ିଛି । ଜବତ ଗାଡ଼ି ନମ୍ବର ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଜୋରଦାର ଚଢ଼ଉ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର