ରାସ୍ତାକାମରେ ୩ କୋଟି ଦୁର୍ନୀତି, ଓସିସିଏଲ୍‌ ମ୍ୟାନେଜର୍‌ ଗିରଫ

ଭୁବନେଶ୍ୱର: ଇନ୍‌ଫୋ ଭ୍ୟାଲି ରାସ୍ତା କାମରେ ୩ କୋଟି ୧୦ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ ଓଡ଼ିଶା କନ୍‌ଷ୍ଟ୍ରକସନ୍‌ କର୍ପୋରେସନ୍‌ ଲିମିଟେଡ୍‌(ଓସିସିଏଲ୍‌)ର ମ୍ୟାନେଜର ବିଶ୍ୱଜିତ ବିଶ୍ୱାଳ(୫୩)ଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଆଜି ତାଙ୍କୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ୨୦୧୭ରେ ଭୁବନେଶ୍ୱର ଇନ୍‌ଫୋ ଭ୍ୟାଲିର ରାସ୍ତା ନିର୍ମାଣ ପାଇଁ ଇଡ୍‌କୋ ଓସିସିଏଲ୍‌କୁ ୧୨କୋଟି ୯୦ଲକ୍ଷ ଟଙ୍କା ମଞ୍ଜୁର କରିଥିଲା। ୨୦୧୮ ଏପ୍ରିଲ୍‌ ୨୧ ସୁଦ୍ଧା କାମ ସାରିବା ପାଇଁ ତେବେ ଓସିସିଏଲ୍‌କୁ ସମୟ ଦିଆଯାଇଥିଲା। ତେବେ ଟଙ୍କା କାରବାର ପାଇଁ ଓସିସିଏଲ୍‌ ପକ୍ଷରୁ ପ୍ରିୟଦର୍ଶନୀ ମାର୍କେଟ୍‌ରେ ଥିବା ଏସ୍‌ବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କରେ ଦୁଇଟି ଆକାଉଣ୍ଟ ଖୋଲାଯାଇଥିଲା। ଆକାଉଣ୍ଟର ସମସ୍ତ ଦାୟିତ୍ୱ ଶ୍ରୀ ବିଶ୍ୱାଳଙ୍କୁ ଦିଆଯାଇଥିଲା। ହେଲେ ସେ କାମ ନକରି ଚତୁରତାର ସହ ୨ଟି ଆକାଉଣ୍ଟରୁ ୩କୋଟି ୧୦ଲକ୍ଷ ଟଙ୍କା ନେଇଯାଇଥିଲେ। ଆକାଉଣ୍ଟ ଅଡିଟ୍‌ ସମୟରେ ବିଶ୍ୱଜିତ ଟଙ୍କାର ହିସାବ ଦେଇପାରି ନଥିଲେ। ଏନେଇ ଓସିସିଏଲ୍‌ କମ୍ପାନି ସେକ୍ରେଟାରି ବିଭୂତି ଭୂଷଣ ସାହୁ ଗତ ୨୧ ତାରିଖରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ କେସ୍‌ ନଂ-୧୮ ଆଇପିସି ଦଫା ୪୨୦ ଓ ୪୦୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର