ନିଜକୁ ବ୍ରିଟିଶ ଯୁବକ କହି ଯୁବତୀଙ୍କ ସହ ପ୍ରେମ ରଚାଇ ବିବାହ ପ୍ରସ୍ତାବ ଦେଉଥିଲେ, ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଫେସ୍‌ବୁକ୍‌ରେ ମହିଳାମାନଙ୍କ ବିବାହର ପ୍ରସ୍ତାବ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ । ଏ ନେଇ ଦିଲ୍ଲୀ ସାଇବର ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ସବୁଠାରୁ ଚତୁର ଅଭିଯୁକ୍ତଙ୍କ ନାଁ ମୌଲିକ୍କ ଡିୟାରା ବୋଲି ଜଣାପଡ଼ିଛି । ସେ ସୋସିଆଲ ମିଡ଼ିଆରେ ନିଜକୁ ବ୍ରିଟିଶ ନାଗରିକ ବୋଲି ପରିଚୟ ଦେଇ ଯୁବତୀମାନଙ୍କ ସହ ବନ୍ଧୁତା ସ୍ଥାପନ କରିବା ସହ ସେମାନଙ୍କଠାରୁ ବିଭିନ୍ନ ବାହାନାରେ ଟଙ୍କା ଲୁଟୁଥିଲେ । ଏ ନେଇ ଜଣେ ମହିଳା ଅଭିଯୋଗ କରିବା ପରେ ମାମଲାଟି ସାମ୍ନାକୁ ଆସିଥିଲା ।

ସୂଚନା ମୁତାବକ, ଗତ ସପ୍ତାହରେ ଜଣେ ମହିଳା ପୁଲିସ ଆଗରେ ଅଭିଯୋଗ କରି କହିଛନ୍ତି, କିଛି ମାସ ତଳେ ମୋର ଜନ୍‌ ହେରୀ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା । କିଛି ଦିନ କଥା ହେବା ପରେ ସେ ମୋ ପାଇଁ ଦାମୀ ଉପହାର ପଠାଇଥିଲେ । କିନ୍ତୁ ଉପହାର ପାଇଁ ମୋତେ ପ୍ରଥମେ ୩୫ ହଜାର ଟଙ୍କା ଏବଂ ପରେ ୧.୫ଲକ୍ଷ ଟଙ୍କା ଦେବାକୁ ପଡ଼ିଥିଲା । ପରେ ଦିଲ୍ଲୀ ଆସିବା କଥା କହି ହେରୀ ମୋତେ ଟିକେଟର ଫଟୋ ପଠାଇଥିଲେ । କିନ୍ତୁ ସେ ପହଞ୍ଚିବା ତାରିଖ ଦିନ ମୋତେ ଇମିଗ୍ରେସନ ଅଧିକାରୀ ଫୋନ କରି ତୁମ ବନ୍ଧୁଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଟଙ୍କା ସହ ଗିରଫ କରାଯାଇଛି ବୋଲି ଖବର ଦେବା ସହ ୨.୫ଲକ୍ଷ ଟଙ୍କା ମାଗିଥିଲେ । ଭଲ ପାଇବାରେ ଅନ୍ଧ ଥିବାରୁ ମୁଁ ମୋ ଆକାଉଣ୍ଟରୁ ଟଙ୍କା ପଠାଇଥିଲି ।

Daily Times

ଟଙ୍କା ପଠାଇବାର କିଛି ସମୟରେ ହେରୀ ମୋତେ ଫୋନ କରି ଇମିଗ୍ରେସନ ଅଧିକାରୀ ମୋତେ ପୁଣି ଲଣ୍ଡନ ପଠାଉଥିବା ଜଣାଇଥିଲେ ବୋଲି ପୀଡ଼ିତା ପୁଲିସ ଆଗରେ ଅଭିଯୋଗ କରିଥିଲେ । କିନ୍ତୁ ଦିଲ୍ଲୀର ଉତ୍ତମ ନଗରରେ ବସି ମୌଲିକ୍କ ଏ ଖେଳ ଖେଳୁଥିବା ପୀଡ଼ିତା ଜାଣି ପାରି ନଥିଲେ । ପରେ ଜଣା ପଡ଼ିବା ପରେ ସେ ପୁଲିସ ଆଗରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତଦନ୍ତ ପରେ ପୁଲିସ ୪ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ସମ୍ବନ୍ଧିତ ଖବର