ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟ୍‌ : ୪ ମହିଳାଙ୍କ ସମେତ ବ୍ୟବସାୟୀ ଗିରଫ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଛକ ନିକଟ ଗହଣା ଦୋକାନରୁ ଲୁଟ୍‌ ଘଟଣାରେ କମିସନରେଟ୍‌ ପୁଲିସ ୪ଜଣ ମହିଳାଙ୍କ ସମେତ ଜଣେ ବ୍ୟବସାୟୀକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ହରିଡ଼ାଖଣ୍ଡିର ଝୁମୁରୀ ଦାସ (୨୫), ବେହେରା ସାହିର ଝୁମୁରୀ ବେହେରା (୩୦), ସଞ୍ଜୁ ବେହେରା ଓରଫ ଝୁନୁ (୪୦), କେନାଲ ସାହିର ସୁଶୀଳା ଦାସ (୩୪) ଓ ସୁନା ବ୍ୟବସାୟୀ ଖଲାସି ସାହିର ଏ ରାମା ରାଓ (୫୯)। ପୁଲିସ୍‌ ସେମାନଙ୍କଠାରୁ ୨୫ହଜାର ଟଙ୍କା ସହ ସୁନା ଚେନ୍‌କୁ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ଭିଡ଼ ଥିବା ବେଳେ ଏହି ମହିଳା ଲୁଟେରା ଗ୍ୟାଙ୍ଗ୍‌ ସୁନା ଦୋକାନକୁ ଟାର୍ଗେଟ କରନ୍ତି। ସୁନା ଦେଖିବା ବାହାନାରେ ଦୋକାନରୁ ସୁନା ଚୋରି କରିଥାନ୍ତି। ଗତ ୧୮ ତାରିଖ ଅକ୍ଷୟ ତୃତୀୟାରେ ସୁନାଗହଣା ଦୋକାନରେ ଭିଡ଼ ଥିବା ବେଳେ ସ୍ଥାନୀୟ ସାମନ୍ତରାପୁରସ୍ଥିତ ଏକ ଗହଣା ଦୋକନରୁ ଏପରି ଲୁଟ୍‌ କରିଥିଲେ। ଏନେଇ ଦୋକାନ ମାଲିକ ପ୍ରଶାନ୍ତ ସାହୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ସେମାନେ ଚୋରାଇ ନେଇଥିବା ସୁନାଚେନ୍‌କୁ ରାମା ରାଓକୁ ବିକ୍ରି କରିଥିଲେ। ବ୍ରହ୍ମପୁର ପୁଲିସ ସହାୟତାରେ କମିସନରେଟ୍‌ ପୁଲିସ ଆଜି ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର